ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ରାମନାଗୁଡା ବ୍ଲକରେ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୯ ଟି ଟିମ ନେଇ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ପରିବାର ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ଏହି ସର୍ବେକ୍ଷଣ ଟିମର ମୁଖ୍ୟ ଜଗନ୍ନାଥ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ୭ ଜଣିଆ ଟିମ ରାମନାଗୁଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ତ ଶୋରିଷପଦର, ବାଟପୁଲିସି, ତସ୍କି, ବାଡୁ ଆଦି ଗାଁ ମାନଙ୍କରେ ଉକ୍ତ ଟିମ ସହ ରାମନାଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ, ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର, ମହିଳା ସ୍ୱାସ୍ଥ୍ୟ କର୍ମୀ ମଂଜୁଲତା ଗମାଙ୍ଗ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜଗବନ୍ଧୁ ପାଳ, ବାଟପୁଲିସି ଆଶା କର୍ମୀ ସହଯୋଗରେ ଟିମ ର ସଦସ୍ୟ ବିକ୍ରମ ସାହୂ, ନବନିତା ମହାନ୍ତି, ଗୀତାଞ୍ଜଳି ନାୟକ, ଅନିତା ସେଠିଙ୍କ ଦ୍ଵାରା ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିବା ବେଳେ ପ୍ରଶାନ୍ତ କୁମାର ପରିଡ଼ା, ଲକ୍ଷ୍ମୀ ମୁର୍ମୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଟି ୧୯୯୨-୯୩ ମସିହାରୁ ଆରମ୍ବ ହୋଇଥିଲା ବୋଲି ଟିମର ମୁଖ୍ୟ ଜଗନ୍ନାଥ ସ୍ୱାଇଁ ପ୍ରକାଶ କରିଛନ୍ତି। ଏ ସର୍ଭେରେ ଶିଶୁ, ମାତୃ ସ୍ୱାସ୍ଥ୍ୟ, ଏଚ ଆଇ ଭି, ପ୍ରଜନନ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ଜନସଂଖ୍ୟା ନିୟନ୍ତ୍ରଣ ଓ ପୁରୁଷଙ୍କ ଉଚ୍ଚତା, ମଧୁମେହ, ରକ୍ତଚାପ, ହିମୋଗ୍ଲୋବିନ ପ୍ରଭୃତି, ଜନ୍ମରୁ ୫ ବର୍ଷ ଶିଶୁ ମାନଙ୍କର ଓଜନ, ଉଚ୍ଚତା, ରକ୍ତହୀନତା ଓ ୧୫ରୁ ୪୯ ବର୍ଷ ମହିଳାଙ୍କ ଉଚ୍ଚତା, ଓଜନ, ରକ୍ତ ହୀନତା, ମଧୁମେହ, ରକ୍ତଚାପ ଏବଂ ୧୫ ବର୍ଷ ବୟସରୁ ଅଧିକ ପୁରୁଷ ମାନଙ୍କର ରକ୍ତଚାପ, ମଧୁମେହ ସମ୍ପର୍କିତ ପରୀକ୍ଷା ହୋଇଥିଲା ।ଉକ୍ତ ସର୍ବେକ୍ଷଣଟି ପୂର୍ବ ନିର୍ଦ୍ଧାରିତ ସର୍ଭେ ଅନୁଯାୟୀ ପ୍ରତି ଗ୍ରାମର କେବଳ ୨୨ ଟି ପରିବାରକୁ ନେଇ ତଥ୍ୟସଂଗ୍ରହ ଏବଂ ନମୂନାର ସର୍ବେକ୍ଷଣ କରାଯାଇଛି।