ଭୁବନେଶ୍ୱର: ଓଡିଆ କବି ଭବାନୀ ଶଙ୍କର ନିଆଲଙ୍କ କବିତା ‘ବାପା’ ଚୀନ୍ ଭାଷାରେ ଅନୁଦିତ ହୋଇଛି। ତାଇୱାନର ପ୍ରଖ୍ୟାତ କବି ଲାଉ ଫୁ ଏହି କବିତାକୁ ଚୀନ୍ ଭାଷାରେ ଅନୁବାଦ କରିଛନ୍ତି। କବି ଲାଉ ଫୁ ତାଇୱାନର ଜଣେ ସୁପରିଚିତ ନାମ। ସେ ତାଇୱାନ ପୋଏଟ୍ରି ସୋସାଇଟି, ଚାଇନିଜ ପୋଏଟ୍ରି ସୋସାଇଟି ଏବଂ ଇଣ୍ଟରନେସନାଳ ପୋଏଟ୍ରି ରିସର୍ଚ୍ଚର ସଦସ୍ୟ ଥିଲେ। ଏହାସହ ପେପେର ‘ଚାଇନା ମିନିଏଚର’ ଏବଂ ‘ଏକ୍ସଟ୍ରା ଟେରିଟୋରିଆଲ ଷ୍ଟାଇଲ’ର ସେ ଥିଲେ ସହ ସମ୍ପାଦକ। ଅନ୍ୟପକ୍ଷରେ କବି ଭବାନୀ ଶଙ୍କର ନିଆଲ ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି। କବି ଭବାନୀଶଙ୍କରଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ ପରେ ରୁଷ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ ଏବଂ ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଅନୁବାଦ କରିଥିବା ବେଳେ ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ତଥା କବିଙ୍କ ଜନ୍ମମାଟି କଳାହାଣ୍ଡିରେ ଖୁସିର ଲହରୀ ଖେଳିଯାଇଛି।