ରାୟଗଡ, (ଶିବ ନାରାୟଣ ଗୈାଡ): ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏକ କାଠ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଇଣ୍ଡିଆନ ଅୟଲର ଏକ ତେଲ ଟ୍ୟାଙ୍କର । ଘଟଣାଟି ଘଟିଛି ରାୟଗଡ ସହର ସ୍ଥିତ ରିଲାଏନ୍ସ ସପିଙ୍ଗ୍ ମଲ ନିକଟରେ । ଜେକେ କାଗଜ କଳକୁ କାଠ ଅନଲଡିଂ ପାଇଁ ଯାଉଥିବା ଏକ କାଠ ବୋଝେଇ ଟ୍ରକ(ଓଆର ୧୮-ଏଚ-୪୭୦୯) ରାଜପଥ କଡରେ ଠିଆ ହୋଇଥିବା ବେଳେ ବିଶାଖାପାଟଣମରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର (ଏପି୩୯-ଟିବି-୭୧୨୮) ଭାରସାମ୍ୟ ହରାଇ କାଠ ବୋଝେଇ ଟ୍ରକଟିକୁ ପଛପଟୁ ଧକ୍କା ଦେଇଥିଲା ।
ଫଳରେ ତେଲ ଟ୍ୟାଙ୍କରଟିର ସମ୍ମୁଖ ଭାଗର ଡାହାଣ ପଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଉକ୍ତ ସାଇଡରେ ବସିଥିବା ଟ୍ରକ ହେଲପର ଗୁରୁତର ଭାବେ ଆହାତ ହୋଇଥିବା ଜଣାପଡିଛି । ହେଲପର ପି.କ୍ରଷ୍ଣା ଓ ଡ୍ରାଇଭର ଏଙ୍କେଟି ନାଇଡୁ। ଉଭୟଙ୍କ ଘର ଆନ୍ଧ୍ର ପ୍ରଦେଶର ରାଜମୁନ୍ଦ୍ରି ଅଂଚଳରେ ବୋଲି ଜଣାପଡିଛି । କାଠ ବୋଝେଇ ଟ୍ରକରୁ କାଠଗୁଡିକ ରାସ୍ତା ଉପରେ ପଡିବା ସହ ଦୁର୍ଘଟଣା ଗ୍ରସ୍ତ ତେଲ ଟ୍ୟାଙ୍କରରୁ ତେଲ ରାସ୍ତାରେ ପଡି ଭାସୁଥିଲା । ଫଳରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା ।
ଖବର ପାଇ ଘଟଣାସ୍ଥଳରେ ରାୟଗଡ ଟାଉନ ଥାନା ପିସିଆର ଏବଂ ୧୧୨ ନମ୍ବର ପୋଲିସ ଗାଡି ପଂହଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ କାଠ ବୋଝେଇ ଟ୍ରକଟିକୁ ବାହାର କରାଯିବା ପରେ ତେଲ ଟ୍ୟାଙ୍କରକୁ ରାସ୍ତା କଡକୁ ହଟାଯାଇ ଟ୍ରାଫିକ୍ ସ୍ୱାଭାବିକ କରାଯାଇଥିଲା । ଗୁରୁତର ହେଲପରଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସା କରାଯାଉଥିବା ବେଳେ ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି ।