ରୁପ୍ରାରୋଡ, ନର୍ଲାରୋଡ ଓ ତୁଲାପଡାରେ ଜୈନ ସନ୍ଥଙ୍କ ଶାନ୍ତି ବାର୍ତ୍ତା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ପଞ୍ଚାୟତର ନର୍ଲାରୋଡ ଠାରେ ଜନତାଙ୍କୁ ଶାନ୍ତି ବାର୍ତ୍ତା ପ୍ରଦାନ କରିଛନ୍ତି ଜୈନ ସନ୍ଥ। ମଙ୍ଗଳବାର ସଂଧ୍ୟା ୫ ଘଣ୍ଟା ସମୟରେ ନର୍ଲାରୋଡରେ ଆସି ପହଞ୍ଚିଥିଲେ ତିନି ଜଣ ଜୈନ ସନ୍ଥ। ନର୍ଲାରୋଡ ଜୈନ ପରିବାର, ନର୍ଲାରୋଡ କେଡିଆ ପରିବାର ତରଫରୁ ତିନି ବାବା ମୁନୀ ଶ୍ରୀ ଜିନେଶ କୁମାର, ବାବା ପରମାନନ୍ଦ ଓ କୁନାଳ ଜୀ ମହାରାଜଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଜୈନ ସନ୍ଥ ମାନଙ୍କୁ ନର୍ଲାରୋଡ ସନ୍ତୋଷ ବୁଦ୍ଧିଆ କମ୍ପ୍ଲେକ୍ସରେ ବିଶ୍ରାମର ବ୍ୟବସ୍ଥା କରାଯାଇଥିଲା। ରାତି ୭ ଘଣ୍ଟା ସମୟରୁ ଉକ୍ତ କମ୍ପ୍ଲେକ୍ସ ଖୋଲା ବାରଣ୍ଡାରେ କରୋନା କଟକଣା, ସାମାଜିକ ବ୍ୟବଧାନରେ ସୀମିତ ମହିଳା ଓ ପୁରୁଷ ଭକ୍ତଙ୍କ ଉପସ୍ଥିତିରେ ଶାନ୍ତି ଓ ଅହିଂସା ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବଦିନ ରୁପ୍ରାରୋଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୈନ ବାବା ମାନେ ସେଠାରୁ ଅପରାହ୍ନ ୪ ବେଳେ ବାହାରି ନର୍ଲାରୋଡ ଆସିଥିଲେ। ବାବାଙ୍କ ସହ ରୁପ୍ରାରୋଡର ସତ୍ୟନାରାୟଣ ଅଗ୍ରୱାଲ ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଭକ୍ତ ମାନେ ମଧ୍ୟ ଗତକାଲି ନର୍ଲା ଶିଶୁ ମନ୍ଦିର ଛକରେ ପହଞ୍ଚିବା ପରେ ସେଠାରୁ ତିନି ସନ୍ଥଙ୍କୁ ନର୍ଲାରୋଡ ଜୈନ ପରିବାର ତରଫରୁ ଭକ୍ତ ସୁଲେଖଚନ୍ଦ ଜୈନ, କମରଲାଲ ଜୈନ, ହମେଶ କୁମାର ଜୈନ, ଶୁଭମ ଜୈନ, ଦୀପକ ଜୈନ, ବିମଲ କୁମାର କେଡିଆ ପ୍ରମୁଖ ସ୍ୱାଗତ କରି ନେଇ ଆସିଥିଲେ ନର୍ଲାରୋଡ। ଆଜି ବଡି ସକାଳୁ ତିନି ଜୈନଧର୍ମାବଲମ୍ବୀ ସାଧୁ ତୁଳାପଡା ଅଭିମୁଖେ ଯାତ୍ରା କରିଥିଲେ। ତିନି ବାବାଙ୍କ ସହ ମ.ରାମପୁର, ନର୍ଲାରୋଡ ଓ ରୁପ୍ରାରୋଡର ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ପଦଯାତ୍ରା କରି ତୁଳାପଡା ଯାଇଥିଲେ। ତୁଳାପଡା ଗ୍ରାମବାସୀ ଜନସାଧାରଣଙ୍କ ତରଫରୁ ସେଠାରେ ମଧ୍ୟ ତିନି ଜୈନ ବାବାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଶ୍ୱରେ ରହିଥିବା ଜୈନ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ଓ ସର୍ବ ବୃହତ ଜୈନ ଧର୍ମର କେନ୍ଦ୍ର ରାଜସ୍ଥାନର ରାଡନୁରେ ରହିଛି । ସେଠାରୁ ମୁଖ୍ୟ ଜୈନ ଗୁରୁଙ୍କ ଆଜ୍ଞା ନେଇ ଏହି ତିନି ଜୈନ ସନ୍ଥ ଅହିଂସା ଓ ଶାନ୍ତିର ବାର୍ତ୍ତା ପ୍ରଦାନ ନିମନ୍ତେ ପଦଯାତ୍ରାରେ ବାହାରି ବାଟରେ ପଡୁଥିବା ସମସ୍ତ ଛୋଟ ବଡ ସହରରେ ଲୋକଙ୍କୁ ପ୍ରବଚନ ମାଧ୍ୟମରେ ଅହିଂସା ଓ ଶାନ୍ତି ସ୍ଥାପନ ନିମନ୍ତେ ଓପଦେଶ ଦେବା ସହ ସଚେତନ କରୁଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ସୂଚନା ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.