ମୁଣ୍ଡାଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ: ଘାଣ୍ଟି ପକାଇଲେ ବଗିଚା, ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ଆମ୍ବ

ଲାଞ୍ଜିଗଡ଼: ନର୍ଲା ରେଞ୍ଜରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉତ୍ପାତ ବଢ଼ି ଚାଲିଥିବା ବେଳେ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ବର୍ଷର ବିଭିନ୍ନ ସମୟରେ ନର୍ଲା ବନାଞ୍ଚଳ ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କୁ ଆସି ଆତଙ୍କ ରହୁଛନ୍ତି ଗଜବାହିନୀ। ଚାଷୀଙ୍କ ଫସଳ ନଷ୍ଟ କରିବାସହ ଘର, କୁଡିଆ ଭାଙ୍ଗି ପକାଉଛନ୍ତି। ଯାହାଫଳରେ ଏହି ଅଞ୍ଚଳର ଚାଷୀ ବର୍ଷ ତମାମ କ୍ଷତି ସହି ଆସୁଛି। ହାତୀ ଯୋଗୁଁ ପୂର୍ବରୁ ଅନେକ ଧନଜୀବନ ହାନୀ ହୋଇଥିବାରୁ ବନ ବିଭାଗ ସଜାଗ ରହି ହାତୀ ଘଉଡାଇବାର ଉତ୍ତମ ବ୍ୟବସ୍ଥା କରିବାସହ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଳର ସଠିକ ଆକଳନ କରି ଉଚିତ୍ କ୍ଷତିପୂରଣ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।


ନର୍ଲା ବନାଞ୍ଚଳ ଅଧିନରେ ଥିବା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତର ମୁଣ୍ଡାଗାଁରେ ଦେଖିବାକୁ ମିଳିଛି ଜଙ୍ଗଲି ହାତୀ ଉପଦ୍ରବ। ପ୍ରାପ୍ତ ସୂଚନା ଆଧାରରେ ଶୁକ୍ରବାର ରାତିରେ ନିକଟସ୍ଥ ଜଙ୍ଗଲରୁ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀ ଆସି ମୁଣ୍ଡାଗାଁର ବିଭୂତି ଭୂଷଣ ତାଣ୍ଡିଙ୍କ ଆମ୍ବ ବଗିଚାରେ ପସିଥିଲେ। ସେମାନେ ୩୫ରୁ ଉର୍ଦ୍ଧ୍ବ ଫଳନ୍ତି ଆମ୍ବ ଗଛକୁ ଭାଙ୍ଗି ଦେବା ଫଳରେ ଗଛରେ ଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଆମ୍ବ ନଷ୍ଟ ହୋଇ ଯାଇଛି। ଫଳରେ ଉକ୍ତ ଆମ୍ବ ଚାଷୀ ଜଣକ ସର୍ବସ୍ବାନ୍ତ ହୋଇ ପଡିଛନ୍ତି।

ବର୍ତ୍ତମାନ ଲକଡାଉନ ଯୋଗୁଁ ତାଙ୍କର ଆମ୍ବ ଗଛରେ ହିଁ ରହିଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଲକ୍ଷାଧିକ ଟଙ୍କାର ଆମ୍ବ ସହିତ ଗଛ ଗୁଡିକ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବିଭୂତି ପ୍ରକାଶ କରିଛନ୍ତି। ନର୍ଲା ବନାଞ୍ଚଳ ଅଧୀନରେ ଥିବା ମୁଣ୍ଡାଗାଁରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଶ୍ରୀ ତାଣ୍ଡି ଦାବି କରିଛନ୍ତି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.