ଲାଞ୍ଜିଗଡ଼: ଚଳିତ ବର୍ଷ କମ ବର୍ଷାରେ କିଛି ପରିମାଣରେ ଖରିଫ ଚାଷ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ସରକାରୀ ସ୍ତରରେ ଲାଞ୍ଜିଗଡ଼ ସମବାୟ ସମିତି(ଲ୍ୟାମ୍ପସ)ରେ ବର୍ଷ ପ୍ରଥମରୁ ଚାଷୀଙ୍କୁ ଧାନ ବିହନ ଯୋଗାଣ ହୋଇନଥିବାବେଳେ ବର୍ତ୍ତମାନ ୟୁରିଆ ସାର ପାଇଁ ଚାଷୀ ହତାଶ ହେଉଛନ୍ତି। ସୂଚନା ଅନୁସାରେ ୨୦୧୯ ମସିହାରେ ଟଙ୍କା ବାକି ଥିବାରୁ ବ୍ଲକର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ସମବାୟ ସମିତି(ଲ୍ୟାମ୍ପସ)କୁ କେସିଙ୍ଗା ବଫର ପକ୍ଷରୁ ଗତ ବର୍ଷ ସାର ଯୋଗାଇ ଦେଇନଥିଲା। ଯାହା ଫଳରେ ୨ ଗୋଟି ଲ୍ୟାମ୍ପସ ଅଞ୍ଚଳର ୧୬ ଗୋଟି ପଞ୍ଚାୟତର ୧୫ ହଜାରରୁ ଉର୍ଦ୍ଧ୍ବ ଚାଷୀ ୟୁରିଆ, ପଟାସ ଓ ଡିଏପି ସାର ନପାଇ ଅସୁବିଧା ଭୋଗିଥିଲେ। ତେଣୁ ନିକଟସ୍ଥ ଜିଲ୍ଲା ରାୟଗଡ଼ାର ଅମ୍ବାଦଳା ଓ ମୁନିଗୁଡା ସାର ବ୍ୟବସାୟୀଙ୍କଠାରୁ ୮୦ ରୁ ୧୦୦ ଟଙ୍କା ଚଢା ଦରରେ କିଣିବାକୁ ବାଧ୍ୟ ହୋଇଥିଲେ। ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଲ୍ୟାମ୍ପସ କର୍ତ୍ତୃପକ୍ଷ ନଶୁଣିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଲ୍ୟାମ୍ପସ ପୂର୍ବର ଥିବା ବକିୟା ପଇସା ଦେଇ କେସିଙ୍ଗା ଠାରୁ ସାର ଆଣିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସାରକୁ ୨ ଗୋଟି ଲ୍ୟାମ୍ପସକୁ ବଣ୍ଟନ କରାନଯାଇ ବିଶ୍ୱନାଥପୁର ଲ୍ୟାମ୍ପସରେ ରଖାଯାଇଥିଲା। ବିଶ୍ୱନାଥପୁର ଅଞ୍ଚଳର ଚାଷୀଙ୍କୁ ସାର ନେବାପାଇଁ ସୁବିଧା ହୋଇଥିବା ବେଳେ ଲାଞ୍ଜିଗଡ଼ ଚାଷୀ ବର୍ଷା ଦିନରେ ବିଶ୍ୱନାଥପୁରରୁ ସାର ଆଣିବା ପାଇଁ ୨୦ ରୁ ୩୦ କିମି ଦୂର ଯିବାକୁ ପଡିଥିଲା। ଗମନାଗମନ ଅସୁବିଧା ଯୋଗୁଁ ବହୁ ଚାଷୀ ସାର ଆଣି ପାରିନଥିଲେ।ଲାଞ୍ଜିଗଡ଼ ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ବି ଲ୍ୟାମ୍ପସ କର୍ତ୍ତୃପକ୍ଷ ଶୁଣିନଥିଲେ। ପୁଣି ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲାଞ୍ଜିଗଡ଼ ଲ୍ୟାମ୍ପସ ସାର ଆଣିଥିଲା। ଚାଷୀ ସାର ପାଇ ପାରିଥିଲେ।
ଗତ ବର୍ଷର ସାର ବାବଦରେ ହୋଇଥିବା ଅସନ୍ତୋଷକୁ ନେଇ ଚଳିତ ବର୍ଷ ପ୍ରଥମରୁ ଆଜି ପର୍ଯ୍ୟନ୍ତ ଧାନ ବିହନ ଲାଞ୍ଜିଗଡ଼ ଲ୍ୟାମ୍ପସ ପକ୍ଷରୁ ଯୋଗାଇ ଦିଆଯାଇ ନାହିଁ। ଚାଷୀ ବାରମ୍ବାର ବିହନ ଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ ଲ୍ୟାମ୍ପସ କର୍ତ୍ତୃପକ୍ଷ ଶୁଣିନଥିଲେ।ଲ୍ୟାମ୍ପସଠାରୁ ଲାଞ୍ଜିଗଡ଼ ଅଞ୍ଚଳର ପ୍ରାୟ ୧୦ ହଜାର ଚାଷୀ ବିହନ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ ନିକଟସ୍ଥ ଜିଲ୍ଲା ରାୟଗଡାର ମୁନିଗୁଡା ଓ ଅମ୍ବାଦଳାରୁ ଚଢା ଦରରେ ଚାଷୀ ବିହନ ଆଣିଥିଲେ। ବିହନ ପରେ ସାର ଯୋଗାଇ ଦେବା ପାଇଁ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଚାଷୀ ଅନୁରୋଧ କରିଥିଲେ। ବହୁ କଷ୍ଟରେ ଗତ ମାସରେ ଗୋଟିଏ ଟ୍ରକ ୩୦୦ ପକେଟ ୟୁରିଆ ସାର ଲ୍ୟାମ୍ପସ ଆଣିଥିଲା। ପ୍ରଭାବଶାଳୀ ବ୍ୟକ୍ତି ଓ କପା ଚାଷୀଙ୍କୁ ପ୍ରଥମେ ବାଣ୍ଟିବା ପରେ କମ ପରିମାଣରେ ଧାନ ଚାଷୀ ସାର ପାଇଥିଲେ। ପୁଣି ୪ ଦିନ ତଳେ ଆଉ ଏକ ଟ୍ରକ ୩୦୦ ପକେଟ ୟୁରିଆ ଆଣି ପୁଣି କିଛି ଲୋକଙ୍କୁ ୫ ରୁ ୧୦ ପକେଟ ଦିଆ ଯାଇଥିବା ବେଳେ ଚାଷୀଙ୍କ ଠାରେ ଅସନ୍ତୋଷ ଦେଖାଦେଇଥିଲା। ଏହା ପରେ ଆଜି ଚାଷୀଙ୍କୁ ଆଧାର କାର୍ଡ ଦେଖାଇ ଗୋଟିଏ ପକେଟ ୟୁରିଆ ୨୮୦ ଟଙ୍କାରେ ମିଳିଥିଲା। ଲାଞ୍ଜିଗଡ଼ ଅଞ୍ଚଳର ଚାଷୀଙ୍କୁ ସାର ବାବଦକୁ ପ୍ରତିବର୍ଷ ୮ ଟ୍ରକ ୟୁରିଆ, ୨ ଟ୍ରକ ପଟାସ ଓ ୨ ଟ୍ରକ ଡିଏପି ଦରକାର ପଡୁଥିବା ବେଳେ ଦୁଇ ବର୍ଷ ହେଲା ସାର ପାଇଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଲ୍ୟାମ୍ପସ ଦାଇତ୍ୱରେ ଗୋଟିଏ ଏମଡି ରହୁଥିବା ଯୋଗୁଁ ଲ୍ୟାମ୍ପସଟି ସମ୍ପୂର୍ଣ୍ଣ ଭାବେ ଡିଓ ଭରସାରେ ଚାଲିଛି ଯାହା ଫଳରେ ବାରମ୍ବାର ଚାଷୀଙ୍କ ଅସୁବିଧା ସାମ୍ନା କୁ ଆସୁଥିବା ଚାଷୀ ମହଲରେ ପ୍ରକାଶ ପାଉଛି। ଏନେଇ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଲ୍ୟାମ୍ପସ ଦାଇତ୍ୱରେ ଥିବା ଏମଡି କମ୍ବୁ ବାରିକଙ୍କୁ ପଚାରିବାରୁ ଚଳିତ ବର୍ଷ ଆମ ଏକାଉଣ୍ଟରେ ପଇସା ନଥିବା ଯୋଗୁଁ ଧାନ ବିହନ ଆଣି ପାରିଲୁ ନାହିଁ।ବର୍ତ୍ତମାନ ସାର ଚାଷୀଙ୍କୁ ଦିଆ ଚାଲିଛି। ଦରକାର ପଡ଼ିଲେ ଆଉ ସାର ଆଣିବୁ ବୋଲି ପ୍ରକାଶ କରିଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in