ଘର ଛାତ ନିର୍ମାଣ ସ୍ଥାନରେ ଅତିରିକ୍ତ ଶ୍ରମ ଅଧିକାରୀଙ୍କ ଚଢାଉ, ଜଣେ ନାବାଳିକା ଶିଶୁ ଶ୍ରମିକ ଚିହ୍ନଟ

● ୨୦୦ଟଙ୍କା ଦୈନିକ ମଜୁରୀ ପ୍ରାପ୍ୟ ପାଉଛନ୍ତି ଶ୍ରମିକ, ବିଗିଡିଲେ ଅତିରିକ୍ତ ଶ୍ରମ ଅଧିକାରୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଶିଶୁ ଶ୍ରମିକ ନିୟୋଜିତ କରିବା ଏକ ଅପରାଧ ଏବଂ ଏହା ନିମନ୍ତେ ଆଇନ ଅନୁଯାୟୀ ଦଣ୍ଡବିଧାନ ରହିଥିଲେ ସୁଦ୍ଧା ଏହି ନିୟମକୁ ଅଣଦେଖା କରାଯାଇ ଶିଶୁ ଶ୍ରମିକଙ୍କ ଅଧିକାରକୁ କ୍ଷୂର୍ଣ୍ଣ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲିପ୍ତ କରାଯାଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଏହି କ୍ରମରେ ରାୟଗଡ ସହରର ନ୍ୟିୁକଲୋନୀ ସ୍ଥିତ ବିଜେପି ଜିଲ୍ଳା କାର୍ଯ୍ୟାଳୟ ନିକଟ ତଥା ହୋଟେଲ ବଂଶୀକ୍ରିଷ୍ଣା ରାସ୍ତାରେ ଶିବ ପ୍ରସାଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଗତକାଲି ଅପରାହ୍ନରେ ଘରର ଛାତ ପକାଇବା କାର୍ଯ୍ୟ ଚାଲିଥିଲା । ଉକ୍ତ କାର୍ଯ୍ୟରେ ଅନେକ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାଏ ଟୁଡୁ ଏବଂ କାର୍ଯ୍ୟାଳୟର ଅନ୍ୟ ଷ୍ଟାଫ୍ ମିଶି ଘଟଣାସ୍ଥଳକୁ ଯାଇ ଚଢାଉ କରିଥିଲେ । ତେବେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଟୁଡୁ ଘଟଣାସ୍ଥଳରେ ପଂହଚିବା ପୂର୍ବରୁ ସେଠାରେ କାର୍ଯ୍ୟରେ ନିୟୋଜିତ ଥିବା ଶିଶୁ ଶ୍ରମିକମାନଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଥିଲା ବୋଲି ଜଣାପଡିଥିଲା । ତେବେ ଶ୍ରୀ ଟୁଡୁ ପଂହଚି ଜଣେ ୧୫ବର୍ଷିୟ ନାବାଳିକା ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିଥିବା ବେଳେ ଅନ୍ୟ ସମସ୍ତ ଶ୍ରମିକମାନଙ୍କ ପରିଚୟ ଓ ଠିକଣା ସହ ସେମାନଙ୍କର ବୟସ ତଥ୍ୟ ଏବଂ କାର୍ଯ୍ୟସ୍ଥଳରେ ସେମାନଙ୍କୁ କେତେ ଟଙ୍କା ଦୈନିକ ମଜୁରୀ ପ୍ରାପ୍ୟ ପ୍ରଦାନ କରାଯାଉଛି ପଚାରି ବୁଝିଥିଲେ ।

ଶ୍ରମିକମାନେ ଦୈନିକ ମାତ୍ର ୨ଶହ ଟଙ୍କାରେ ୮ଘଂଟା କାର୍ଯ୍ୟ କରୁଥିବା ନେଇ ପ୍ରକାଶ କରିବା ପରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଟୁଡୁ ବିଗିଡିବା ସହ ଶ୍ରମିକ ନିୟୋଜିତ କରିଥିବା ଠିକାଦାରଙ୍କୁ ତାଗିଦ କରି ସେମାନଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ୩୧୧ଟଙ୍କା ଲେଖାଁଏ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରୁଥିବାରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଘଟଣା ସଂପର୍କରେ ଖବର ପାଇ ରାୟଗଡ ଥାନା ଏଏସଆଇ ଏସ.କେ. ବେହେରାଙ୍କ ସମେତ ଅନ୍ୟ ପୋଲିସ ଷ୍ଟାଫ୍ ଆସି ପଂହଚିଥିଲେ । ଅପରପକ୍ଷେ ରାୟଗଡ ଜିଲ୍ଳାର ବିଭିନ୍ନ ନିର୍ମାଣ କାର୍ଯ୍ୟ ସ୍ଥଳରେ ଶ୍ରମିକମାନଙ୍କୁ ମାତ୍ର ୨ଶହରୁ ୨୫୦ଟଙ୍କା ଭିତରେ ଦୈନିକ ମଜୁରୀ ପ୍ରଦାନ କରାଯାଉଥିବା ବେଳେ ଶ୍ରମ ବିଭାଗ ଏ ନେଇ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରି ଛୋଟ ଛୋଟ ଠିକାଦାର ତଥା ରାଜମିସ୍ତ୍ରୀମାନଙ୍କୁ ଟାର୍ଗେଟ କରୁଥିବା ନେଇ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.