● ୯୫ ଗୁରୁଛାତ୍ରଛାତ୍ରୀ ସାମିଲ, ୯୦୦ ପିଲା ଉପକୃତ
ଭବାନୀପାଟଣା: ମହାମାରୀ କରୋନାର କରାଳ କାୟରେ ସମସ୍ତେ ଗ୍ରସ୍ତ। ଏଥିପାଇଁ ଦୀର୍ଘଦିନ ଧରି ବିଦ୍ୟାଳୟସବୁ ବନ୍ଦ ରହିଛି। ପ୍ରାଥମିକ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ସମ୍ଭବପର ନଥିବା ବେଳେ ଅନଲାଇନ ଶିକ୍ଷାଦାନ ପାଇଁ ସରକାର ଲାଇଭ ୟୁଟ୍ୟୁବ କ୍ଳାସର ବ୍ୟବସ୍ଥା କରିଛନ୍ତି। ତେବେ ଜିଲ୍ଲାର ଅନେକ ସ୍ଥାନରେ ମୋବାଇଲ ନେଟୱର୍କ ନାହିଁ କି ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ଏଭଳି ସ୍ଥିତିରେ କୋମଳମତି ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣରୁ ବଂଚିତ ହେବାର ଆଶଂକା ଥିବାବେଳେ ଶିକ୍ଷକ ତାଲିମ ନେଉଥିବା ଗୁରୁଛାତ୍ରଛାତ୍ରୀଙ୍କ ଦ୍ଵାରା ବିକଳ୍ପ ଶିକ୍ଷାଦାନ ନୂତନ ଆଶା ସଂଚାର କରିଛି।
ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶିକ୍ଷକ ଶିକ୍ଷା ତଥା ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏବଂ ୟୁନିସେଫର ମିଳିତ ଯୋଜନାରେ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍) କଳାହାଣ୍ଡି ଏବଂ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ଧର୍ମଗଡରେ ଅଧ୍ୟୟନରତ ଡି.ଇଏଲ୍.ଇଡି ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଗୁରୁଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲୁରହିଛି। ଡାଏଟ୍ କଳାହାଣ୍ଡିର ୧୮୮ଜଣ ଏବଂ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ଧର୍ମଗଡର ୧୮୪ଜଣ ଗୁରୁଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାର ୧୩ଟି ବ୍ଲକରେ ଅନଲାଇନରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ କୌଣସି କାରଣ ବଶତଃ ଦ୍ଵିତୀୟ ବର୍ଷର କିଛି ଗୁରୁଛାତ୍ରଛାତ୍ରୀ ବର୍ତ୍ତମାନ କାର୍ଯ୍ୟରୁ ନିବୃତ୍ତ ଅଛନ୍ତି। ତେଣୁ ପ୍ରଥମ ବର୍ଷର ୧୯୦ ଜଣ ଗୁରୁଛାତ୍ରଛାତ୍ରୀଙ୍କ ଦ୍ଵାରା କାର୍ଯ୍ୟ ଚାଲୁରହିଛି। ଯାହାକି ଜିଲ୍ଲାର ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଭଳି ଅପହଞ୍ଚ ଇଲାକାରେ ମଧ୍ୟ ଶିକ୍ଷା ପହଞ୍ଚାଇବାରେ ସହାୟକ ହୋଇଛି।
ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବଂ ସିଆରସିସିମାନେ ସହଯୋଗ କରୁଥିବା ବେଳେ ସମସ୍ତ ଶିକ୍ଷକ ପ୍ରଶିକ୍ଷକମାନେ ଶିକ୍ଷାଦାନ ପରିଦର୍ଶନ କରିବା ସହିତ ଗୁରୁଛାତ୍ରଛାତ୍ରୀମାନଙ୍କୁ ସହାୟତା ଯୋଗାଉଛନ୍ତି। ଏହି ବ୍ୟବସ୍ଥାରେ ପିଲାମାନଙ୍କ ମନରେ ଖୁସି ଆଣିବା ସହ ପାଠ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଡାଏଟ୍ କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ଈଶ୍ୱର ଚନ୍ଦ୍ର ବେହେରା, ବିଜଲୀ ଏକ୍କା, ନିହାରିକା ଦେବୀ, ଅରୁଣ କୁମାର ଭୋଇ, ଅଚ୍ୟୁତ ମଲ୍ଲିକ, ରାମଚନ୍ଦ୍ର ବାଗ, ସୁନିତା ଦୁର୍ଗା, ମମିତା ଦୋରା, ରାଜେଶ କୁମାର ଭୋଇ, ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ଧର୍ମଗଡର ଶିକ୍ଷକ ପ୍ରଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା, ଜୟନ୍ତ କୁମାର ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ଅଞ୍ଜୁଶ୍ରୀ ମିଶ୍ର, ଅଭିଜିତ ମହାନ୍ତି ପ୍ରମୁଖଙ୍କ ପ୍ରୟାସ ସହ ଗୁରୁଛାତ୍ରଛାତ୍ରୀମାନଙ୍କର ନାଚ, ଗୀତ, ଗପ ଓ ଅଭିନୟ ଦ୍ଵାରା ଶିକ୍ଷାଦାନ ପ୍ରକ୍ରିୟାକୁ ଶିକ୍ଷାବିତ ମହଲରେ ପ୍ରଶଂସା କରାଯାଇଛି।