କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ତୁଲାପଡା ଗ୍ରାମ ପଞ୍ଚାୟତର ରତନପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ରତନପୁର ଗ୍ରାମର ବାସନ୍ତୀ ରଣା (୪୫) ନିଜ ଘର ପୂଜା କୋଠରୀରେ ବେକରେ ଦଉଡି ଲଗେଇ ଆତ୍ମ ହତ୍ୟା କରିଛନ୍ତି । ସକାଳୁ ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଇଥିବା ଜଣା ପଡିଛି ।
ଘଟଣାରୁ ଜଣା ପଡିଛି ଯେ ରତନପୁର ଗ୍ରାମର ଗୁମାନ ରଣା ନବରଙ୍ଗପୁର ଜିଲ୍ଲାର ରେଭେନ୍ୟୁ ବିଭାଗରେ ଚାକିରୀ କରନ୍ତି । ସ୍ତ୍ରୀ ବାସନ୍ତୀ ରଣା ଘରୋଇ ମହିଳା । ଦୁଇ ପୁଅ ଜଣକୁ ୨୨ ବର୍ଷ ଆଉ ଜଣକୁ ୧୫ ବର୍ଷ । ସୁନ୍ଦର ପରିବାର । ତେବେ ଗତ ୨୦୧୪- ୧୫ ମସିହାରେ ବାସନ୍ତୀଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା କାରଣରୁ ନର୍ଲା ଥାନାରେ ଗୁମାନଙ୍କ ନାମରେ ଏତେଲା ମଧ୍ୟ ଦାଏର ହୋଇଥିଲା ବୋଲି ଜଣାପଡିଛି । ଗୁମାନ ଗତ ଦୁଇଦିନ ତଳେ ଘରକୁ ଆସିଥିଲେ । ଗତକାଲି ସେ ନିଜ ଚାକିରୀ ସ୍ଥାନକୁ ଚାଲିଯିବା ପରେ ରାତିରେ ତାଙ୍କ ସ୍ତ୍ରୀ ବାସନ୍ତୀ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ତଦନ୍ତ ଚାଲିଛି ବୋଲି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଷେକ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।