● ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ କଲେ ରାୟଗଡ ଜିଲ୍ଲାପାଳ
● “ଦର୍ଶନ ପାଇଁ କୋଭିଡ ଟୀକାକାରଣ ପ୍ରମାଣ ପତ୍ର ଓ ଆଧାର କାର୍ଡ ଦେଖାଇବାକୁ ପଡିବ “
ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ-୧୯ ମହାମାରିର ଦ୍ୱିତୀୟ ଲହରି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଯଥା- ମନ୍ଦିର, ମସଜିଦ, ଗୀର୍ଜା ଏବଂ ଗୁରୁଦ୍ୱାରା ସବୁ ଭକ୍ତମାନଙ୍କ ନିମନ୍ତେ ବନ୍ଦ କରାଯାଇଥିଲା । କେବଳ ସୀମିତ ପୂଜକ ମାନଙ୍କ ମଧ୍ୟରେ ବିଧିବିଧାନ କାର୍ଯ୍ୟ ସମ୍ପାଦନ କରାଯାଉଥିଲା । ବର୍ତ୍ତମାନ ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିବା ଯୋଗୁଁ କୋଭିଡ-୧୯ ନିୟମ ପାଳନ କରି ଧର୍ମାନୁଷ୍ଠାନ ଗୁଡିକ ଖୋଲା ଯିବା ଉପରେ ରାୟଗଡ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନର ଖୋଲିବା ନିମନ୍ତେ ବିଚାର କରୁଛନ୍ତି । ଏଥି ନିମନ୍ତେ ରାୟଗଡ଼ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିଜ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ବିଭିନ୍ନ ଧର୍ମଗୁରୁ ମାନଙ୍କ ସହିତ ଆଜି ଆଲୋଚନା କରିଛନ୍ତି । ଏହି ବୈଠକରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାଆନ୍ ଓ ଶିଖ୍ ଧର୍ମର ଧର୍ମଗୁରୁ ଓ କମିଟିର ସଦସ୍ୟ ମାନେ ଯୋଗାଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବୈଠକରେ ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ବିଶେଷ ଗହଳି ହେଉଥିବା ରାୟଗଡର ଅଧିଷ୍ଠ୍ରାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରରେ କିପରି କୋଭିଡ ନିୟମ ପାଳନ କରି ଭକ୍ତମାନେ ଦର୍ଶନ କରି ପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ମନ୍ଦିରରେ ପ୍ରତ୍ୟେକ ରବିବାର ଓ ବୁଧବାର ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଥିବାରୁ ବହୁତ ଜନଗହଳି ହେଉଛି ଯାହାକି ଠିକ୍ ଭାବରେ ପରିଚାଳନା ନ କଲେ କୋଭିଡ ନିୟମ ଭଙ୍ଗ ହୋଇ ବିଶୃଙ୍ଖଳା ହେବ । ତେଣୁ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାୟ କ୍ରମେ ୩୦ ଜଣ ଲେଖାଏଁ ଦର୍ଶନ କରିବା ସହ କୋଭିଡ ଟୀକାକାରଣ ପ୍ରମାଣ ପତ୍ର ଓ ଆଧାର କାର୍ଡ ଦେଖାଇବା ନିମନ୍ତେ ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । କୋଭିଡ-୧୯ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମ ଭକ୍ତ ମାନଙ୍କୁ ସୁଯୋଗ ଦେବା, ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ସାନିଟାଇଜର, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ମାଁ ମଝିଘରିଆଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦୈନିକ ଭିଡ ହେଉଥିବା ଦୃଷ୍ଟିରେ ରଖି ନଡିଆ ମନ୍ଦିର ବାହାରେ ଭୋଗ କରାଯିବ ଏବଂ ତାବିଜ ମଧ୍ୟ ମନ୍ଦିର ବାହାରେ ବିକ୍ରି କରାଯିବ ଏହାକୁ ସଠିକ କାର୍ଯ୍ୟକାରୀ ପାଇଁ ମନ୍ଦିର ପରିଚାଳନା କମିଟି ଅନୁରୋଧ କରାଯାଇଛି । ଏହି ବୈଠକରେ ଆସନ୍ତା ଦୁଇ ତିନି ଦିନ ଭିତରେ ଧର୍ମାନୁଷ୍ଠାନ ଗୁଡିକ ଖୋଲାଯିବା ପାଇଁ ବିଚାର କରାଯାଉଛି ବୋଲି ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଧର୍ମଗୁରୁ ମାନଙ୍କୁ କହିଥିଲେ । ବୈଠକରେ ବିଭିନ୍ନ ଧର୍ମର ପରିଚାଳନା କମିଟିର ସଦସ୍ୟ, ମଝିଘରିଆଣୀ ଟ୍ରଷ୍ଟି ବୋର୍ଡ ଓ ପୂଜକ, ଖ୍ରୀଷ୍ଟ ଧର୍ମର ପାଳକ , ମସଜିଦ ଓ ଗୁରୁଦ୍ୱାର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l