କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ମାଣ୍ଡେଲ ପଞ୍ଚାୟତର ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡର ଯାତ୍ରୀ ବିଶ୍ରାମାଗାର ଟି ପରିତ୍ୟକ୍ତ ହୋଇ ପଡିଛି । ଏହି ବିଶ୍ରାମାଗାରଟି ନର୍ଲାରୁ ରୁପ୍ରାରୋଡ କେସିଙ୍ଗା ପିଡବ୍ଲୁଡି ରାସ୍ତା ପାଶ୍ୱର୍ରେ ରହିଛି । ଗତ ୨୦ ବର୍ଷ ତଳେ ପଞ୍ଚାୟତ ସମିତି ଅନୁଦାନ ରାଶି ୧,୨୦,୦୦୦ ଟଙ୍କାରେ ନିର୍ମିତ ହୋଇଥିଲା ଏହା । ସେତେ ବେଳର କାମରେ ନା ତ ପିଲର ପଡିଛି, ନା ବିମ୍ ଦେଇ କାମ ହୋଇଛି । କାମ ସମ୍ପୂର୍ଣ୍ଣ ହେବାର ଦୁଇ ତିନି ବର୍ଷ ଭିତରେ ବିଶ୍ରାମ ଗୃହଟି ଫାଟିବା ଆରମ୍ଭ କରିଥିଲା । ସମୟ କ୍ରମେ ଏହାର କାନ୍ଥ ସାରା ଫାଟି ସାରିଥିବା ବେଳେ ଛାତ ପୁରା ଜାଲି ହୋଇଗଲାଣି । କେତେ ବେଳେ ଯେ ଭୁଷୁଡି ପଡିବ ତାହା କହିହେବ ନାହିଁ । ଏହି ଯାତ୍ରୀ ବିଶ୍ରାମ ଗୃହଟି ଗ୍ରାମର ଆରମ୍ଭ ମୁଣ୍ଡ ମୁଖ୍ୟ ରାସ୍ତାକଡରେ ରହିଥିବାରୁ ରାତି ଆରମ୍ଭ ହେବା ମାତ୍ରକେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡାସ୍ଥଳି ପାଲଟୁଛି । ଏଇଠି ବସ୍ତା ବସ୍ତା ମଦ ବୋତଲ ଓ ମଦ ପାଉଚ ପ୍ୟାକେଟ ପଡିଥିବା ଦୃଶ୍ୟମାନ ହେଉଛି । ଅନ୍ୟପକ୍ଷେ ବସ୍ ଯୋଗେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ବସ ଅପେକ୍ଷାରେ ରହିଥିବା ଯାତ୍ରୀଙ୍କ ବିଶ୍ରାମ ନିମନ୍ତେ ଗଛତଳ ଆଶ୍ରୟ ସ୍ଥଳି ପାଲଟିଛି । ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଅସୁରଗଡର ଏହି ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହଟିକୁ ଭାଙ୍ଗିଦେଇ ଏଇଠି ଏକ ନୂତନ ଯାତ୍ରୀ ବିଶ୍ରାମ ଗୃହ କରିବା ପାଇଁ ଅସୁରଗଡ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି ।