ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କମର୍ଦ୍ଧା ପଞ୍ଚାୟତସ୍ଥିତ ମଦାଙ୍ଗଦୁନି ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭଲ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିମି ବୋହିକି ନେବାକୁ ପଡିଥିଲା। ଗତ ୯ ତାରିଖ ସୋମବାର ଦିନ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ମଦାଙ୍ଗଦୁନି ଗାଁର ମୋହନ ମାଝୀଙ୍କ ସ୍ତ୍ରୀ ଇନ୍ଦୁମତିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆମ୍ବୁଲାନ୍ସ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଆସିଥିଲା ସତ, କିନ୍ତୁ ରାସ୍ତା ଶୋଚନୀୟ ପାଇଁ ଗାଁ ମଧ୍ୟକୁ ପ୍ରବେଶ କରି ପାରିନଥିଲା। ଫଳରେ ମଦାଙ୍ଗଦାନୀ ଗାଁରୁ ପିପଲପଡା ଗାଁ ପର୍ଯ୍ୟନ୍ତ ୩ କିମି ଖଟିଆରେ ବୋହି ଗର୍ଭବତୀକୁ ପରିବାର ଲୋକେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ।
ଏହି ଖବର ୧୩ ତାରିଖ ଦିନ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶ ପାଇବା ପରେ ସେହିଦିନ ହିଁ ଲାଞ୍ଜିଗଡ଼ ବ୍ଳକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ କମର୍ଦ୍ଧା ପଞ୍ଚାୟତ ନିର୍ବାହି ଅଧିକାରୀ ଗୌରାଙ୍ଗ ମାଝୀ, ଜିଆରଏସ୍ ପଦ୍ମନ ସାହୁ ଏକ ପ୍ରତିନିଧି ଦଳ ମଦାଙ୍ଗଦୁନି ଗାଁରେ ପହଞ୍ଚି ମୋହନ ମାଝୀଙ୍କ ଗର୍ଭବତୀ ସ୍ତ୍ରୀ ଇନ୍ଦୁମତି ଓ ନବଜାତ ଶିଶୁ ପୁତ୍ରକୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହା ସହିତ ଗାଁକୁ ରାସ୍ତା ଥିବା ସତ୍ତ୍ୱେ ଆମ୍ବୁଲାନ୍ସ ଡ୍ରାଇଭର ପିଚୁ ରାସ୍ତା ଠାରୁ କଚା ରାସ୍ତାକୁ ଆମ୍ବୁଲାନ୍ସ ନେବିନାହିଁ ବୋଲି ମନା କରିଦେଇଥିବା ଗାଁ ଲୋକେ ବ୍ଳକ ପ୍ରଶାସନ ନିକଟରେ ପ୍ରକାଶ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in