ଠିକାଦାର ଶିବ ଦାସଙ୍କ ହତ୍ୟାପରେ ଅଧପନ୍ତରିଆ ହୋଇପଡିଛି ନର୍ଲା-କୁର୍ମେଲ ରାସ୍ତା କାମ

କଳାହାଣ୍ଡି, ୨୮|୮ (ଲିଙ୍ଗରାଜ ମିଶ୍ର): ନର୍ଲା ଠାରୁ କୁର୍ମେଲ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ୭.୫କିମି ରାସ୍ତା ଟେଣ୍ଡର ପାଇଥିବା ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଶିବ ଶଙ୍କର ଦାସଙ୍କୁ ଲାଞ୍ଜିଗଡ଼ ବ୍ଲକ ବେନଗାଁ ନିକଟସ୍ଥ ପାଜିବାହାଲି ଠାରେ ମାଓବାଦୀମାନେ ହତ୍ୟା କରିବା ପରେ ନକ୍ସଲ ଭୟରେ ଅନେକ ସ୍ଥାନରେ ରାସ୍ତା କାମ ବନ୍ଦ ହୋଇଯାଇଥିଲା। କିନ୍ତୁ କିଛିଦିନ ପରେ କେତେକ ସ୍ଥାନରେ କାମ ଆରମ୍ଭ ହୋଇଥିଲା। ତେବେ ଶ୍ରୀ ଦାସଙ୍କ ହତ୍ୟାପରେ ନର୍ଲା ଠାରୁ କୁର୍ମେଲ ରାସ୍ତାର ଅଧ କିଲୋମିଟର କାମ ଅଧାପନ୍ତରିଆ ହୋଇ ପଡିଛି। ୨୦୧୪ ମସିହାରେ ସ୍ବର୍ଗତ ଠିକାଦାର ଶ୍ରୀ ଦାସ ଏହି କାମ ଆରମ୍ଭ କରିଥିଲେ। ସବୁଠାରୁ ବଡକଥା ହେଲା ୭.୫ କି.ମି. ପାଇଁ ସାଢ଼େ ସାତକୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ହେଲେ ଜୁର୍କାଭଟା ଶେଷ ମୁଣ୍ଡରୁ ଗୋରକେଲ ଗ୍ରାମ ଆରମ୍ଭ ଯାଏଁ ରାସ୍ତା ପରେ କରିବା କହି ସମସ୍ତ ବିଲ୍ ଉଠାଇ ଛୁ ଚମ୍ପଟ ମାରି ସାରିଛନ୍ତି। ତେବେ ଆରଡି ବିଭାଗ ଅଧିକାରୀ ସେହି ଅଧପନ୍ତରିଆ ରାସ୍ତା ଦେଖିବାକୁ ଆସୁନାହାନ୍ତି କିମ୍ବା କାମ ହୋଇନଥିବା ସେହି ଅଧ କିଲୋମିଟର ୫୦ ଲକ୍ଷ ବ୍ୟୟ ଅଟକଳର ରାସ୍ତା ନିର୍ମାଣର ନାଁ ଧରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜୁର୍କାଭଟା ଓ କୁର୍ମେଲ ମଧ୍ୟସ୍ଥ ଗାଡିଆଯୋର ନଦୀ ଉପରେ ରହିଥିବା ବ୍ରିଜ୍ ଦୁଇପାର୍ଶ୍ବସ୍ଥ ରାସ୍ତା ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ୨୦୧୭-୧୮ ବନ୍ୟାବେଳେ ଏହି ରାସ୍ତା ଧୋଇ ଯାଇଥିଲା। ତେଣୁ ଦୁଇ ମୁଣ୍ଡରେ ମାଟି ଭର୍ତ୍ତିକରି ଆସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ରାସ୍ତା ନାହିଁ କହିଲେ ଚଳେ। ଫଳରେ ଯାତାୟତ ପାଇଁ ଏହି ପଥ ଅନୁପଯୁକ୍ତ ହୋଇପଡି ଛୋଟବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଏଥିପ୍ରତି ଆର୍.ଡି. ବିଭାଗର ନିଘା ନାହିଁ।

ଜଣେ ଠିକାଦାରଙ୍କ ହତ୍ୟାପରେ ଅନ୍ୟ ଟେଣ୍ଡର କିମ୍ବା କାମ ହୋଇଥିବା ଅନୁସାରେ ବିଲିଙ୍ଗ କରିବା ବ୍ୟବସ୍ଥା ଥିଲେହେଁ ଆଜିଯାଏ ଏଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନୀରବ ରହିଛି। ପ୍ରଶାସନ ମଧ୍ୟ ସ୍ଥାଣୁ ପାଳଟି ଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ ଏବଂ ସମିତି ସଦସ୍ୟା ସପୁର ଭୋଇ ଆର୍.ଡ଼ି. ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଏହି ରାସ୍ତା ଟିର ଅଧା ରହିଥିବା କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର କହିଥିଲେ ମଧ୍ୟ କର୍ଣ୍ଣପାତ କରୁନି ବିଭାଗ । ଏଣୁ ଆଗାମୀ ଦିନରେ ମରଣଜନ୍ତା ସାଜିଥିବା ଏହି ରାସ୍ତାଟି ଯଦି ଶୀଘ୍ର ନିର୍ମାଣ କରାନଯାଏ ତାହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.