ଗୋଟିଏ ଦିନରେ ସର୍ବାଧିକ ୧୦୨ ରେକ କୋଇଲା ପଠାଇବାର ରେକର୍ଡ କଲା ମହାନଦୀ କୋଲ ଫିଲ୍ଡସ ଲିମିଟେଡ

ତାଳଚେର, ୧|୯: କୋଇଲା ମନ୍ତ୍ରଣାଳୟ ଅଧୀନ ମିନିରତ୍ନ କମ୍ପାନୀ ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ) ଆଜି ଗୋଟିଏ ଦିନରେ ଇବ୍ ଭ୍ୟାଲୀ ଏବଂ ତାଳଚେର କୋଇଲା କ୍ଷେତ୍ରରୁ ବିଭିନ୍ନ ବିଦ୍ୟୁତ ଉତ୍ପାଦନ ଷ୍ଟେସନକୁ ରେଳ ମାଧ୍ୟମରେ ୧୦୨ ରେକ୍ କୋଇଲା ପଠାଇଛି। ଏଥିସହିତ ଏମସିଏଲ ଦିନକରେ ସର୍ବାଧିକ ପରିମାଣର କୋଇଲା ପଠାଇବାର ରେକର୍ଡ କରିଛି। ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପିକେ ସିହ୍ନା ପରିବେଶ ଅନୁକୂଳ ରେଳ ମୋଡ ଜରିଆରେ କୋଇଲା ପଠାଇବାର ଏହି ରେକର୍ଡ କରିବା ଲାଗି ସାମିଲ ହୋଇଥିବା ଟିମ୍‌କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ଭାରତୀୟ ରେଳବାଇର ଉନ୍ନତ ସମନ୍ବୟ ଏବଂ ସମର୍ଥନ ସହିତ ଟିମ ଏମସିଏଲର ଏକ ପ୍ରଭାବଶାଳୀ ପ୍ରଦର୍ଶନ”। ରାଷ୍ଟ୍ରର ଇନ୍ଧନ ଆବଶ୍ୟକତା ପୂରଣ କରିବା ଲାଗି ଉତ୍ତରଦାୟିତ୍ବର ସହ କାମ କରିବା ଲାଗି ଏମସିଏଲ ଟିମକୁ ଅଭିନନ୍ଦନ ଜଣାଇଥିଲେ। ୩୦ ଅଗଷ୍ଟ, ୨୦୨୧ରେ ଏମସିଏଲର ତାଳଚେର କୋଇଲା କ୍ଷେତ୍ରରୁ ପଠାଯାଇଥିବା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୬୧ ରେକ୍ ରେକର୍ଡ ସହିତ ଉପଭୋକ୍ତାମାନଙ୍କୁ ୫.୩ ଲକ୍ଷ ଟନ କୋଇଲା ଯୋଗାଣ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟୁତ ଷ୍ଟେସନକୁ ଚାରି ଲକ୍ଷ ଟନ କୋଇଲା ଯୋଗାଣ କରାଯାଇଥିଲା।ଏହାବ୍ୟତୀତ, ୧୬ ରେକ ଏମଜିଆର-ମୋଡ (ମ୍ୟାରି ଗୋ ରାଉଣ୍ଡ) ଜରିଆରେ ଏବଂ ୧.୧୫ ଲକ୍ଷ ଟନରୁ ଅଧିକ ଟ୍ରକ ମାଧ୍ୟମରେ ବିଭିନ୍ନ ଉପଭୋକ୍ତାମାନଙ୍କୁ ପଠାଯାଇଥିଲା। ଏମସିଏଲ ଭାରତର ଦ୍ବିତୀୟ ସର୍ବବୃହତ କୋଇଲା ଉତ୍ପାଦକ କମ୍ପାନୀ। ଏହାର ଖନନ ପରିଚାଳନା ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ସମ୍ପ୍ରସାରିତ ହୋଇ ରହିଛି। ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପ୍ରଦୂଷଣ ମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ପ୍ରଣାଳୀ ସୁବିଧା ପ୍ରଦାନ କରିବା ନିମନ୍ତେ ନୋ ଫର୍ଷ୍ଟ ମାଇଲ କନେକ୍ଟିଭିଟି ପ୍ରକଳ୍ପକୁ ଲାଗୁ କରୁଛି। ଏହାବ୍ୟତୀତ ଏମସିଏଲ ୨୦୨୪ ସୁଦ୍ଧା ପ୍ରତି ବର୍ଷ ୧୨୬ ମିଲିୟନ ଟନ କୋଇଲା ପଠାଇବାର କ୍ଷମତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ୧୯୯୯ରେ ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଖନନ ଜ୍ଞାନକୌଶଳକୁ ଆପଣାଇବାରେ ଏମସିଏଲ ପ୍ରଥମ କମ୍ପାନୀ ଥିଲା। ୬୬ ଭୂପୃଷ୍ଠ ଖଣିକ ମାନଙ୍କର ସବୁଠୁ ବଡ଼ ଏହି କମ୍ପାନୀ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.