କୋକସରା, ୨|୯ (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଦେଇ ଯାଇଥିବା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲର ପ୍ରଖର ସ୍ରୋତରେ ଭାସି ଯାଇ ଲଡ଼ୁଗାଁ ମାଝୀ ପଡାର ସାନ ଚଣ୍ଡୀ (୫୫)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ମୃତକ ଜଣକ ନିଜ ଚାଷ ଜମିକୁ ଘାସ ବାଛିବାକୁ ଯାଇ ମଧ୍ୟାହ୍ନରେ ଗାଧୋଇବା ପାଇଁ ମୁଖ୍ୟ କେନାଲକୁ ଯାଇଥିଲେ। କେନାଲର ପ୍ରଖର ସ୍ରୋତରେ ବୁଡି ଯାଇ ପ୍ରାୟ ଦୁଇ କିମି ଭାସି ଯାଇ ଶାଖା କେନାଲକୁ ସଂଯୋଗ କରୁଥିବା ପାଇପ ଜାଳିରେ ଅଟକି ଯାଇଥିଲେ। ମୃତ ଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଓ ସରପଞ୍ଚ ଶବ ଚିହ୍ନଟ କରି ପରିବାର ବର୍ଗ ଓ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣେଇଥିଲେ।
ଘଟଣା ସ୍ଥଳରେ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ଥିବା ତଦନ୍ତକାରୀ ଅଧିକାରୀ ଜନ୍ମେଜୟ ବାଗ ସୂଚନା ଦେଇଛନ୍ତି।