ରାୟଗଡ/କାଶିପୁର: ପାରିପାର୍ଶ୍ୱିକ ଅଞ୍ଚଳରେ ଉତ୍ତମ ପୁଷ୍ଟିସାଧନ, ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଏକ ଉପଯୁକ୍ତ ଜୀବନଶୈଳୀ ବଜାୟ ରଖିବା ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ହାଡିଗୁଡା ଗ୍ରାମ ପଞ୍ଚାୟତର ଭିତର ମୁସୁକୁନି ଗ୍ରାମରେ ଜାତୀୟ ପୁଷ୍ଟିସାଧନ ସପ୍ତାହ ପାଳନ କରିଛି । ଏହି କାର୍ଯ୍ୟକ୍ରମ କାଶିପୁର ବ୍ଲକ ଆଇସିଡିଏସ୍ ବିଭାଗ ସହାୟତାରେ ମିଳିତ ଭାବରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରାଇବା ଉପରେ ଦୃଷ୍ଟି ନିବଦ୍ଧ କରାଯାଇଥିଲା ।
ନିକଟବର୍ତ୍ତୀ ଅଙ୍ଗନବାଡି କେନ୍ଦ୍ରସମୂହର ମୋଟ ୩୪ ଜଣ ଅଙ୍ଗନବାଡି କର୍ମୀ ଏବଂ ଭିତର ମୁସୁକୁନି ଗ୍ରାମର ଅନେକ ଅଧିବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେମାନେ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ଗର୍ଭାବସ୍ଥା ସମୟରେ ପୁଷ୍ଟିସାଧନ ଆବଶ୍ୟକତା ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ । ମହିଳାମାନଙ୍କୁ ବିଶେଷକରି ସେମାନଙ୍କର ଗର୍ଭଧାରଣ ଏବଂ ସ୍ତନ୍ୟପାନ କରାଇବା ସମୟରେ ସୁପାରିଶ କରାଯାଉଥିବା ପୁଷ୍ଟିସାର ଏବଂ ଭିଟାମିନ ସେବନ ସମ୍ପର୍କରେ ଅବଗତ କରାଯାଇଥିଲା । ଏଥିପାଇଁ ବିଭିନ୍ନ ଖାଦ୍ୟ ପଦାର୍ଥ ସେମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବା ସହିତ ସେଗୁଡିକର ପୁଷ୍ଟିଗତ ଉପାଦେୟତାେ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଥିଲା, ଯଦ୍ୱାରା ପୁଷ୍ଟିସାଧନର ଗୁରୁତ୍ୱ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ । ଏହି ଅବସରରେ ସୁସ୍ଥ ଶିଶୁ ପ୍ରଦର୍ଶନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଏକ ଶିଶୁର ସାମାଜିକ, ମାନସିକ, ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଭାବଗତ ଦିଗର ବିକାଶ ସାଧନ ଦ୍ୱାରା ସାମଗ୍ରିକ ବିକାଶ ଦିଗରେ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ କିଭଳି ସହାୟକ ହୋଇଥାଏ ଏବଂ ତଦ୍ଦ୍ୱାରା ଶିଶୁଙ୍କ ପାଇଁ ଆଜୀବନ ଶିକ୍ଷା ଆହରଣ ଏବଂ କଲ୍ୟାଣର ଏକ ମଜଭୁତ ମୂଳଦୁଆ ପକାଯାଇପାରିବ, ସେ ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଇଥିଲା ।
ଏଥିସହିତ ସ୍ୱାସ୍ଥ୍ୟକର ବଡି ମାସ୍ ଇଣ୍ଡେକ୍ସ (ବିଏମଆଇ) ବଜାୟ ରଖିବା ଦିଗରେ ଅତ୍ୟନ୍ତ ଆଗ୍ରହ ପ୍ରଦର୍ଶନ କରିଥିବା ଏବଂ ପୁଷ୍ଟିଗତ ତଥା ଉତ୍ତମ ମାନର ଖାଦ୍ୟ ପସନ୍ଦ କରିବାରେ ସେମାନଙ୍କର ସଚେତନତା ପାଇଁ ମହିଳା ଅଂଶଗ୍ରହଣକାରୀଙ୍କୁ କେତେକ ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁଏଆଇଏଲର ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ହେଡ୍ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗନେଇଥିବା ମହିଳା ଅଂଶଗ୍ରହଣକାରୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବା ସହିତ କହିଥିଲେ ଯେ, “ଜଣେ ମହିଳାଙ୍କର ପୁଷ୍ଟିଗତ ସ୍ଥିତି କେବଳ ତାଙ୍କର ସ୍ୱାସ୍ଥ୍ୟଗତ ଦିଗକୁ ପ୍ରଭାବିତ କରେନାହିଁ, ତାହାସହିତ ଗର୍ଭାବସ୍ଥା ଫଳାଫଳ ଏବଂ ତାଙ୍କର ଗର୍ଭସ୍ଥ ଭ୍ରୁଣ ତଥା ନବଜାତର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।” ଆଇସିଡିଏସ୍ ସୁପରଭାଇଜର ଯଶୋମଣି ହିଆଲ ଓ ରେଣୁବାଳା ପରିଡା, କାଶିପୁର ଓଏଲଏମ୍ ବିଏଲଆରପି ସନ୍ତୋଷ ସାହୁ ଏହି କାର୍ଯ୍ୟକ୍ରମରେ ସାଧନ ବ୍ୟକ୍ତି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନା ସିଏସଆର ଟିମ୍ର ସତ୍ୟଭାମା ନାଏକ, କାର୍ତ୍ତିକେଶ୍ୱର ସାହୁ ଏବଂ ଗଜେନ୍ଦ୍ର ନାଏକ ସଂଯୋଜନା କରିଥିଲେ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜକୁ ଗଭୀର ଭାବରେ ନିୟୋଜିତ ରଖିବା ସହିତ ଏହାର ସିଏସଆର୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ଏବଂ ସାମାଜିକ ସମସ୍ୟାଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେଉଛି । ମୋଟ ଉପରେ ୟୁଏଆଇଏଲ ଓଡ଼ିଶାର ୫୭ଟି ଗ୍ରାମରେ ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in