ନକଲି ଶିକ୍ଷକଙ୍କୁ ସାର୍ଟିଫିକେଟ ଯାଞ୍ଚ ଭୟ: ଯାଞ୍ଚ ପୂର୍ବରୁ ଇସ୍ତାଫା ଦେଲେ ଦୁଇ ଶିକ୍ଷକ

● କଳାହାଣ୍ଡି ଜିଲ୍ଲାରେ କିଛିଦିନ ପୂର୍ବରୁ ନକଲି ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଘଟଣା ଶିକ୍ଷା ବିଭାଗର କେଲେଙ୍କାରିକୁ ପଦାରେ ପକାଇଛି

କୋକସରା, (ହିରଣ୍ୟ ବେହେରା): ଚାଲିଛି ନକଲି ଶିକ୍ଷକ ଛାନଭିନ କାମ । ସରକାର ନକଲି ଶିକ୍ଷକଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଉଥିବା ଅନେକ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କୃତ ଓ ଅନେକଙ୍କ ଦରମା ମଧ୍ୟ ବନ୍ଦ କରାଯାଇଛି । ଏ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାରେ ମାଲ ମାଲ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ସାର୍ଟିଫିକେଟ ବଳରେ ଚାକିରୀ ହାତେଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ଜଣାପଡିଛି।


ଜିଲ୍ଲାରେ କିଛିଦିନ ପୂର୍ବରୁ ନକଲି ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଘଟଣା ଶିକ୍ଷା ବିଭାଗର କେଲେଙ୍କାରିକୁ ପଦାରେ ପକାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଶିକ୍ଷକତା କରୁଥିବା ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋକସରା ବ୍ଲକର ଦୁଇଜଣ କନିଷ୍ଠ ଶିକ୍ଷକ ଯାଞ୍ଚ ପୂର୍ବରୁ ଚାକିରୀରୁ ଇସ୍ତଫା ଦେଇଛନ୍ତି । ନୂଆପଡା ଜିଲ୍ଲାରୁ ଆସି ଦୁହେଁ କୋକସରା ବ୍ଲକର ଡୁଡୁକାଠେଙ୍ଗା ଓ ଖଲିଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ସେମାନେ ହେଲେ ଶିକ୍ଷକ ଲେକ୍ରାମ ସତନାମୀ ଓ ରମେଶ ସତନାମୀ ଦୁହେଁ ସ୍ବେଚ୍ଛାକୃତ ଭାବେ ନିଜ ନିଜ ଇସ୍ତଫା ପତ୍ର କୋକସରା ବିଇଓଙ୍କୁ ଦେଇଥିବା ଜଣାପଡିଛି । ତେବେ ୨୦୧୮ ରେ ନିଯୁକ୍ତି ପାଇଥିବା ଦୁଇ ଶିକ୍ଷକ କାହିଁକି ଯାଞ୍ଚ ପୂର୍ବରୁ ଦୁଇ ଇସ୍ତଫା ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ ।

କାର୍ଯ୍ୟାନୁଷ୍ଠାନ ଭୟ ରେ ଦୁଇ ଶିକ୍ଷକ ଚାକିରି ଛାଡିଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କୋକସରା ବିଇଓ ଅଫିସରେ ବୁଧବାର ଠାରୁ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ପ୍ରଥମ ଦିନ ଓ ଦ୍ୱିତୀୟ ଦିନରେ ୭ ଗୋଟି କ୍ଲଷ୍ଟର ସମୁଦାୟ ୩୩୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ହୋଇଥିବା ଓ ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ରର ଅବିକଳ ନକଳ ରଖାଯାଇ ବୋର୍ଡ, ୟୁନିଭର୍ସିଟିକୁ ପଠାଯାଇ ଯାଞ୍ଚ ପରେ ଏହା ଅସଲି ନା ନକଳି ଜଣାପଡିବ। ଆଜି (ଶୁକ୍ରବାର) ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି କୋକସରା ଏବିଇଓ ବିଜୟ କୁମାର ବାରିକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.