ସରକାରଙ୍କ କୋଭିଡ ନିୟମ ଅନୁସରଣ କରି ଏବର୍ଷ ଆୟୋଜିତ ହେବ ନର୍ଲାରୋଡ ଦୁର୍ଗାପୂଜା

● ନୂତନ ପୂଜା କମିଟି କର୍ମକର୍ତ୍ତା ଚୟନ: ହମେଶ କୁମାର ଜୈନ ସଭାପତି, ଅମର ରାଉତ ସାଧାରଣ ସମ୍ପାଦକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରୋଡର ବହୁ ପ୍ରସିଦ୍ଧ ଦୁର୍ଗାପୂଜା ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ପାଳିତ ହେବ । ଆଜି (ରବିବାର) ନର୍ଲାରୋଡ ଦୁର୍ଗାପୂଜା ପୁରାତନ କମିଟିର ବରିଷ୍ଠ ସଭାପତି ହାମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ପୂଜା ପାଳନ ଓ କର୍ମକର୍ତ୍ତା ଚୟନ ନିମନ୍ତେ ଧର୍ମଶାଳା ପରିସରରେ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ କମିଟି ସଦସ୍ୟ ଅମର ରାଉତ ଗତ ବର୍ଷର ବିବରଣୀ ପଢି ଶୁଣାଇଥିଲେ । ଏହାପରେ ସଭାପତି ଶ୍ରୀ ଜୈନ ଆଗାମୀ ଦୁର୍ଗାପୂଜା ପାଳନ କିଭଳି କରାଯିବ ସେ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ । ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା ପୂର୍ବ ବର୍ଷ ଭଳି କୋଭିଡ -୧୯ ନିୟମାନୁଯାୟୀ ପାଳନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ମଧ୍ୟରେ କରାଯିବ । ପୂଜା ମଣ୍ଡପରେ ପୂଜକ ଓ କର୍ତ୍ତା ମିଶି ୭ ଜଣ ହିଁ ରହିବେ । ବ୍ୟାରିକେଟ କରାଯିବ । ଭକ୍ତବୃନ୍ଦ ଦୂରରୁ ହିଁ ଦର୍ଶନ କରିପାରିବେ । ଗତ ବର୍ଷ ଅଣାଯାଇଥିବା ପୂଜକ ମାନଙ୍କୁ ହିଁ ଅଣାଯିବ । କୋଭିଡ- ୧୯ ନିୟମକୁ କଡାକଡି ଭାବରେ ପାଳନ କରାଯାଇ ପୂଜା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।


ଏହାପରେ ପୂଜା କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ହମେଶ କୁମାର ଜୈନ, ଉପସଭାପତି ବିମଲ ଚନ୍ଦ୍ର କେଡ଼ିଆ, ସାଧାରଣ ସମ୍ପାଦକ ଅମର ରାଉତ, ସହସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଭାବରେ ରାଜା ପରିଡା, ସହ କୋଷାଧ୍ୟକ୍ଷ ଭାବରେ ବାବୁଲା ରାଉତ, ଭଣ୍ଡାରଘର ଦାଇତ୍ୱରେ ଜହରଲାଲ ବିଶ୍ୱାଳ ଓ ସହଯୋଗୀ ଭାବରେ ଦୀପକ କୁମାର ଜେଠୁଆ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଚଳିତ ବର୍ଷ ପୂଜାକର୍ତ୍ତା ଭାବରେ ଜାହରଲାଲ ବିଶ୍ୱାଳଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀ ଭାବରେ ପିଏନଏସ୍ ପ୍ରତିନିଧି ଲିଙ୍ଗରାଜ ମିଶ୍ର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ମନୋଜ କୁମାର ଅଗ୍ରୱାଲ, ତୀର୍ଥ ବୁଦ୍ଧିଆ ନିକୁଞ୍ଜ ଓଝା, ମୁକେଶ ବଂସଲଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ମଣ୍ଡପ ବାହାରେ ଭିଡ ନିୟନ୍ତ୍ରଣ ଓ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଯୁବ ଗୋଷ୍ଠିଙ୍କୁ ନେଇ ଏକ ଶୃଙ୍ଖଳା କମିଟି ମଧ୍ୟ ଗଠନ କରାଯାଇଥିଲା ।ଶେଷରେ ନବ ନିର୍ବାଚିତ ସଭାପତି ଶ୍ରୀ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.