● ୫୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ଭତା ପାଇବାରୁ ବଂଚିତ ଦୀପୁ
ରାୟଗଡା, (ଶିବ ନାରାୟଣ ଗୈାଡ): ଜନ୍ମରୁ ୨ବର୍ଷ ପରେ ହଠାତ୍ ପାରାଲିସସ୍ ରୋଗରେ ଆକ୍ରାନ୍ତ ହୋଇଗଲା ଦୀପୁ । ଗରୀବ ବାପା ‘ମା ମେଡିକଲ ଠାରୁ ଆରମ୍ଭ କରି ଚେରୀମୂଳି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଦୁଇ ବର୍ଷର ଦୀପୁର ଡାହାଣ ହାତ ଓ ଗୋଡ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଆଜି ବି ସେ ହାତରେ କିଛି ଧରିବାରେ ସକ୍ଷମ ହୋଇ ନ ଥିବା ବେଳେ ଠିକ୍ ଭାବେ ଗୋଟିଏ ଗୋଡରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି । ବାପା ନ ହେଲେ ମା ନଚେତ ପରିବାରର ଅନ୍ୟମାନଙ୍କ କାଖରେ ରହି ଜୀବନ ଅତିବାହିତ କରୁଛି ଗୋଟିଏ ଶୈଶବ । ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୀପୁକୁ ୪ବର୍ଷ ବୟସରେ ଗତ ୨୦୧୯ ମସିହା ମେ’ମାସ ୧୯ତାରିଖରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ଦ୍ୱାରା ୫୦ପ୍ରତିଶତ ଭିନ୍ନକ୍ଷମ ନେଇ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ତେବେ ପରିତାପର ବିଷୟ ଭିନ୍ନକ୍ଷମ ଶିଶୁ ଦୀପୁକୁ ଆଜି ଯାଏଁ ମିଳୁପାରି ନାହିଁ ଭତା । ଗତ ୨ବର୍ଷ ମଧ୍ୟରେ କାଶିପୁର ବ୍ଳକ କାର୍ଯ୍ୟାଳୟରେ ଦୀପୁର ଭତା ନିମନ୍ତେ ଦିନ ମଜୁରିଆ ଅଶିକ୍ଷିତ ବାପା ରାଜୁ ଅଧିକାରୀମାନଙ୍କୁ ଗୁହାରୀ କରି ଆବେଦନ କରି ଆସୁଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରି ନ ଥିବା ରାଜୁ ନାଏକ ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଳା କାଶିପୁର ବ୍ଳକ କୋଡିପାରି ଗ୍ରାମ ପଂଚାୟତ ଅନ୍ତର୍ଗତ ଯୋଗୀପାରିତୁଣ୍ଡା ଗ୍ରାମର ରାଜୁ ଓ ଭିତିକା ନାଏକଙ୍କ ୬ବର୍ଷର ସାନପୁଅ ଦୀପୁ ନାଏକ ।
ସେମିପାରାଲିସିସ୍ ରୋଗରେ ଆକ୍ରାନ୍ତ ଦୀପୁର ଡାହାଣ ଗୋଡ ଓ ହାତ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସାଧାରଣ ପିଲାଙ୍କ ପରି ସେ ଠିକ୍ ଭାବେ ଖେଳିବୁଲି ପାରୁନାହିଁ । ସାଙ୍ଗ ସାଥୀ ଗହଣରେ ରହି ମଧ୍ୟ ସେ ନିଜକୁ ଏକାକୀ ମନେ କରେ ବୋଲି ବାପା ରାଜୁ ନାଏକ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଦିନ ମଜୁରିଆ ରାଜୁ ନାଏକ ଯାହା ମଜୁରୀ ଅର୍ଥ ଆଦାୟ କରେ ତାହା ସେ ପରିବାର ଭରଣ ପୋଷଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ସାନ ପୁଅ ଦୀପୁର ଉଚ୍ଚ ଚିକିତ୍ସା ନିମନ୍ତେ ଅର୍ଥାଭାବରୁ ସେ ସକ୍ଷମ ନୁହନ୍ତି ବୋଲି କହିବା ସହ ଦୀପୁର ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ପ୍ରଶାସନ ତରଫରୁ ଭତା ପ୍ରଦାନ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ପୁଅ ଦୀପୁକୁ ଭତା ଟଙ୍କା ପ୍ରଦାନ କରାଯାଉ ବୋଲି ଆଜି ରାୟଗଡା ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀଙ୍କୁ ଏ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ଅଧିକାରୀ ଜଣକ ଅନୁପସ୍ଥିତ ରହିଥିବାରୁ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ପ୍ରଦାନ କରି ଯାଇଛନ୍ତି । ତେବେ ଏ ନେଇ ଡିଏସଏସଓ ଅଧିକାରୀ ଭିକ୍ଟୋରିଆ କୁଲ୍ଲୁଙ୍କ ପ୍ରତିକ୍ରିୟା ନେବାରୁ ସେ ଏହି ବିଷୟରେ ଅବଗତ ନାହାନ୍ତି ଏବଂ ଯଥାଶୀଘ୍ର ଦୀପକୁ ଭତା ପାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।