କଲ୍ୟାଣସିଂହପୁର ବ୍ଳକରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

● ଚାକିରି ପାଇବାରୁ ବଂଚିତ ଲିସା କାର୍ସିକା

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସମନ୍ୱିତ ଶିଶୁ ବିକାଶ ଯୋଜନାର କଲ୍ୟାଣସିଂହପୁର ବ୍ଳକ ସେକ୍ଟର ଅର୍ନ୍ତଗତ ଘାଘୁଡିମାଳ ଗ୍ରାମର ମିନି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ କର୍ମୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି କେନ୍ଦ୍ର ନିମନ୍ତେ ଯୋଗ୍ୟ କର୍ମୀ ଲିସା କାର୍ସିକାଙ୍କ ପରିବର୍ତେ ସଂଗୀତା କୁନାକାଙ୍କୁ ନିଯୁକ୍ତ କରାଯାଇଥିବାରୁ ଚୟନ କମିଟି ପକ୍ଷରୁ ଅନିୟମିତତା ହୋଇଥିବା ଲିସା ଅଭିଯୋଗ କରିଛନ୍ତି । ଏଥି ନିମନ୍ତେ ସେ ଜିଲ୍ଳାପାଳ ଓ ଚୟନ କମିଟିର ଅଧ୍ୟକ୍ଷ ଉପଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇ ନିଜ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ଘାଘୁଡିମାଳ ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ପଦବୀ ନିମନ୍ତେ ୨୦ରୁ ଉର୍ଦ୍ଧ ପ୍ରାର୍ଥୀନିମାନେ ଆବେଦନ କରିଥିଲେ । ଲିସା କାର୍ସିକା ମଧ୍ୟ ଉକ୍ତ ପଦବୀ ନିମନ୍ତେ ବିଜ୍ଞାପନ ଅନୁଯାୟୀ ସମସ୍ତ ପ୍ରକାର ପ୍ରମାଣପତ୍ର ଦାଖଲ କରି ଆବେଦନ କରିଥିଲେ । ତେବେ କଲ୍ୟାଣସିଂହପୁର ସଦରର ସଂଗୀତା କୁନାକାଙ୍କୁ ଚୟନ କମିଟି ପକ୍ଷରୁ ଚୟନ କରାଯାଇଥିବା ବେଳେ ନିୟମାନୁଯାୟୀ ଗାଁରେ ରହୁଥିବା ଲିସା କାର୍ସିକାଙ୍କୁ ବାଦ୍ ଦିଆଯାଇଛି । ତେବେ କାହିଁକି ଲିସାକୁ ତାଲିକାରୁ ବାଦ ଦିଆଯାଇଥିବା ନେଇ ଲିସା ପଚାରିବାରୁ ଆବାସିକ ପ୍ରମାଣପତ୍ରରେ ଘାଘୁଡିମାଳ ପରିବର୍ତେ ନୂଆ ସାହି ଗ୍ରାମ ଉଲ୍ଳେଖ ଥିବାରୁ ତାଙ୍କୁ ଚୟନ କମିଟି ପକ୍ଷରୁ ବାଦ ଦିଆଯାଇଥିବା ଜଣାପଡିଥିଲା । ତେବେ ଆବାସିକ ପ୍ରମାଣପତ୍ର ଆବେଦନ ସମୟରେ ଲିସା ନିଜ ଘର ପଟ୍ଟା ସହ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ କରିଥିଲେ ମଧ୍ୟ ତହସିଲଦାର କିପରି ଭାବେ ଘାଘୁଡିମାଳ ପରିବର୍ତେ ନୂଆସାହି କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.