ଭୁବନେଶ୍ୱର: ଓଡିଶା ଗଣମାଧ୍ୟମର ଏକ ପରିଚିତ ଚେହେରା ତଥା ଖ୍ୟାତନାମା ସାମ୍ବାଦିକ ଅରିନ୍ଦମ ଦାସ ଆଉ ନାହାନ୍ତି। ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମଙ୍କ ବିୟୋଗ ହୋଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମହାନଦୀରେ ଫସି ରହିଥିବା ଏକ ହାତୀକୁ ଉଦ୍ଧାର କରିବା ପାଇଁ ଏକ ଅପରେସନ୍ ସମୟରେ ଓଡ୍ରାଫ୍ ବୋଟ୍ ବୁଡ଼ି ଯାଇଥିଲା। ଦିର୍ଘ ସମୟ ଧରି ହାତୀକୁ ଉଦ୍ଧାର ପାଇଁ ପ୍ରଚେଷ୍ଟା କରା ଯାଉଥିବା ବେଳେ ଓଡ୍ରାଫ ବୋଟ୍ରେ ନିଜ କ୍ୟାମେରାମ୍ୟାନଙ୍କ ସହ ଯାଇଥିଲେ ଓଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ। ହଠାତ୍ ସୁଅ ମୁହଁରେ ଓଲଟିପଡିଥିଲା ଓଡ୍ରାଫ୍ ବୋଟ୍। ଉଦ୍ଧାର ପାଇଁ ପୋଲ ଉପରେ ରହିଥିବା ଅନ୍ୟ ସହଯୋଗି ଦଉଡି ବଢାଇଥିଲେ ଏଥିରେ ଅନ୍ୟ ମାନେ ଆସି ଯାଇଥିଲେ ମଧ୍ୟ ଅରିନ୍ଦମ ନିଜକୁ ରକ୍ଷା କରି ପାରି ନଥିଲେ। ଏହା ପରେ ଅରିନ୍ଦମ କିଛି ଦୂର ପାଣିର ସ୍ରୋତରେ ଭାସି ଯାଇଥିଲେ। ସେହି ସମୟରେ ମତ୍ସ୍ୟଜୀବି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଏସସିବି ମେଡିକାଲରେ ଭତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ସହ ଥିବା କ୍ୟାମେରାମ୍ୟାନ୍ ପ୍ରଭାତ ବିଶୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଏବେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ଓଡ୍ରାଫ୍ ବୋଟ୍ରେ ମୋଟ ୮ ଜଣ ଥିବାବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି। ସାମ୍ବାଦିକ ଅରିନ୍ଦମଙ୍କ ଏହି ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ସାମ୍ବାଦିକ ସଂଘ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।