ସମସ୍ୟାର ଚାରି ଛକରେ ବନ୍ଧା ପଡ଼ିଛି ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ

● ମୈାଳିକ ସୁବିଧାରୁ ବଞ୍ଚିତ ବଡ଼ଶୋଷପଦର ଓ ବଡ଼ଜାମକନା ଗ୍ରାମବାସୀ

ଲାଞ୍ଜିଗଡ଼: ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ପରିମଳ ପରି ମୈାଳିକ ସୁବିଧାରୁ ଆଜିବି ବଞ୍ଚିତ ହୋଇ ପଡ଼ିରହିଛି ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ। ଏପଟେ ଗାଁର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଅନେକ ଉପାନ୍ତ ଗାଁକୁ ଆଜିବି ବିକାଶ ସ୍ପର୍ଶ କରିପାରିନାହିଁ। ଏହା ଏକ ଆଦିବାସୀ, ହରିଜନ, ଗିରିଜନ ଅଞ୍ଚଳ ହୋଇଥିବାବେଳେ ପୂର୍ବରୁ ପ୍ରଶାସନିକ ଉଦାସୀନତା କାରଣରୁ ଅବହେଳିତ ହୋଇ ରହିଛନ୍ତି ଏଠାକାର ଅଧିବାସୀ।

ଲାଞ୍ଜିଗଡ଼ ବ୍ଲକର ବଡ଼ଜାମକନା ଓ ବଡ଼ ଶୋଷପଦର ଗ୍ରାମବାସୀଙ୍କ ପାଖରେ ସାଧାରଣ ଆବଶ୍ୟକତା ମଧ୍ୟ ଅପହଞ୍ଚ ହୋଇ ରହିଛି। ସେହିପରି ଭାବେ ଗୁଣ୍ଡୁରୀ ପଞ୍ଚାୟତର ଅନେକ ଗୁଡ଼ିଏ ଗାଁରେ ସରକାରଙ୍କ କୌଣସି ମୈାଳିକ ସୁବିଧା ପହଞ୍ଚି ପାରୁନାହିଁ। ବଡ଼ଜାମକନା ଓ ବଡ଼ଶୋଷପଦର ଗାଁରେ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନା ଅଛି ଖଣ୍ଡେ ଭଲ ରାସ୍ତା। ଏହି ଗାଁକୁ ଯିବା ଆସିବା ବାଟରେ ରେତନଦୀକୁ ଡେଇଁ ଯିବାକୁ ପଡିଥାଏ। ତେବେ ନାଳ ନଦୀପାଣି ଏବଂ ସେହି ପୁରୁଣାକାଳିଆ ପଥର, ଖାଲ ଢିପ କଚା ପାଦଚଲା ରାସ୍ତା ଭରଷାରେ ବର୍ଷ ବର୍ଷ ଧରି ବିତୁଛି ଜୀବନ। ଏନେଇ ଅନେକ ଥର ପ୍ରଶାସନକୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ଏହି ଗାଁରେ ଉଚ୍ଚ ପଦସ୍ଥ ସରକାରୀ ବାବୁମାନଙ୍କ ପାଦ ପଡ଼ିନାହିଁ। ଖାଲି ଭୋଟ ସମୟ ହେଲେ କୁଜି ନେତାମାନେ ଆସି ପ୍ରଲୋଭନ ଓ ପ୍ରତିଶୃତି ଦେଇଥାନ୍ତି। କିନ୍ତୁ କୌଣସି କାମକୁ ନୁହେଁ ବୋଲି ବଡ଼ଶୋଷପଦର ଓ ବଡ଼ଜାମକନା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ବର୍ଷା ଋତୁରେ ବଡଜାମକନା ଓ ବଡଶୋଷପଦର ମଧ୍ୟରେ ଥିବା ରେତନଦୀରେ ବହୁତ ପାଣି ବଢ଼ିଥାଏ। ବଡ଼ଶୋଷପଦର ଗ୍ରାମରୁ ଆରମ୍ଭ କରି ଆଗକୁ ଥିବା କନ୍ଧଶୋଷପଦର, ବରଙ୍ଗପଦର, ଦାର୍ବେଙ୍ଗ୍, କାଚାଙ୍ଗ୍ ଭଟା, ବଡ଼ ଜାମକନା, କାବାଙ୍ଗହେଜୁ, ମନସ୍ତରା, ସର୍ଗିଲେପା ଓ ଅନେକ ଗ୍ରାମରୁ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଶୋଷପଦର ଓ ବଡ଼ଜାମକନାର ଗ୍ରାମବାସୀଙ୍କ ପାଇଁ ସବୁ ବିଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହନ୍ତି। 

ଏଇଠି ଶିକ୍ଷା କଥା ନ କହିଲେ ଭଲ। ଯେଉଁଠି ସୁଦ୍ଧ ପାଣି ଓ ରାସ୍ତା ଘାଟର ସୁବିଧା ନାହିଁ ସେଇଠି ପୁଣି ଶିକ୍ଷାର ପ୍ରଶ୍ନ ଉଠିବ କୋଉଠି। ତେବେ ରାସ୍ତା ଖଣ୍ଡେ ଓ ବ୍ରିଜର ବ୍ୟବସ୍ଥା କରିବା ପାଇଁ ବଡ଼ଜାମକନା ଓ ବଡ଼ଶଷପଦର ଗ୍ରାମବାସୀ ପ୍ରସାଶନକୁ ଅନୁରୋଧ କରିଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏହି ଗାଁଗୁଡିକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.