କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପଡା ଓ ବାଲିଗାଁରେ ଜୁନିୟର ରେଡ଼ କ୍ରସ ଶାଖା ଗଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଜୁନିୟର ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରୁ କ୍ରିୟାଶୀଳ କରିବା ନିମନ୍ତେ ବୈପାରିଗୁଡା ବ୍ଲକର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମହୁଲି, ଚନ୍ଦ୍ରପଡା ଓ ବାଲିଗାଁ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ବୈପାରିଗୁଡା, ଦୋଳପୁର ଏବଂ ବ୍ରାହ୍ମଣଗୁଡା ଯାଇ ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଚନ୍ଦ୍ରପଡା ଓ ବାଲିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ନୂତନ ଭାବେ ଜୁନିୟର ରେଡ଼ କ୍ରସ ଶାଖା ଗଠନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସେବାରୂପୀ ମନ୍ତ୍ରରେ ଉଦବୁଦ୍ଧ ହୋଇ ରେଡ଼ କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଚିନ୍ତାଧାରା, ବିବେକ ଓ ବ୍ୟକ୍ତିତ୍ବ, ସଂଯମତା ଏବଂ ଏକାଗ୍ରତାର ବିକାଶ ଘଟାଇବା ସହିତ ଚରିତ୍ର ଗଠନର ସୁଯୋଗ ପାଇପାରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ମତବ୍ୟକ୍ତ କରିଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।