ଗୁଣପୁର ପୈାରପାଳିକାରେ ସଫେଇ କାର୍ଯ୍ୟ ଟେଣ୍ଡରକୁ ନେଇ ମହାଦୁର୍ନୀତି ଅଭିଯୋଗ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଗୁଣପୁର ପୈାର ପାଳିକାରେ ଚଳିତ ୨୦୨୧-୨୨ଆର୍ଥିକ ବର୍ଷର ସଫେଇ କାର୍ଯ୍ୟ ପାଇଁ ଆହ୍ୱାନିତ ଟେଣ୍ଡରରେ ଗୁରୁତର ଅନିୟମିତତା ଓ ବେଆଇନ ଭାବେ ଭୁବନେଶ୍ୱରର ଆଶିଷ ପଟ୍ଟନାୟକ ନାମକ ଜଣେ ଠିକାଦାରୀ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଏବଂ ଟେଣ୍ଡର ପକ୍ରିୟାରେ ମହାଦୁର୍ନୀତି ହୋଇଥିବା ନେଇ ଆଜି ରାୟଗଡା ସହରର ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଂଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଟେଣ୍ଡରରୁ ବାଦ୍ ପଡିଥିବା ଠିକାଦାରୀ ସଂସ୍ଥାର ମାଲିକ ତଥା ଠିକାଦାରମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ଟେଣ୍ଡରକୁ ଫିକ୍ସିଂ କରାଯାଇ ଜଣେ ନିର୍ଦ୍ଧିଷ୍ଟ ସଂସ୍ଥାର ଠିକାଦାରଙ୍କୁ ହିଁ ପୁଣିଥରେ କାର୍ଯ୍ୟାଦେଶ ଦେବାରେ ପୈାର ନିର୍ବାହୀ ଅଧିକାରୀ ଉମାପ୍ରସାଦ ଦାସ ଏବଂ କାର୍ଯ୍ୟାଳୟର ହିସାବ ରକ୍ଷକ ବିଶ୍ୱନାଥ ସାରକାଙ୍କ ସିଧାସଳଖ ସଂପୃକ୍ତି ରହିଥିବାରୁ ଏହାର ଏକ ଉଚ୍ଚ ସ୍ତରୀୟ ପ୍ରଶାସନିକ ତଦନ୍ତ ଏବଂ କାର୍ଯ୍ୟାଦେଶକୁ ବାତିଲ କରିବା ପାଇଁ ଦାବି କରିବା ସହ ଆବଶ୍ୟକ ସ୍ଥଳେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ସେମାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ଅକ୍ଟୋବର ମାସ ୭ତାରିଖରେ ଗୁଣପୁର ପୈାରପାଳିକା ପକ୍ଷରୁ ବିଜ୍ଞାପନ ସଂଖ୍ୟା ୨୩୯୪ ଅନୁଯାୟୀ ୱାର୍ଡ ନମ୍ବର ୧ ରୁ ୧୦, ୧୨ ଓ ୧୫ଏବଂ ମରାଠୀଗୁଡା ଅଂଚଳରେ ଝାଡୁ, ସଫେଇ କାର୍ଯ୍ୟ ପାଇଁ ୮୮ଜଣ ଝାଡୁଦାର ଓ ଦୁଇ ଜଣ ସୁପରଭାଇଜରଙ୍କୁ ମିଶାଇ ମୋଟ ୯୦ଜଣଙ୍କୁ ନିଯୁକ୍ତି ଦେଇ ସଫେଇ କାର୍ଯ୍ୟ ସଂପାଦନା ନିମନ୍ତେ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୧୧ଜଣ ନିଜ ନିଜ ପ୍ରସ୍ତାବ ରଖିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ୱିନ୍ନର ସେକୁୃ୍ୟରିଟି ଲେବର ସର୍ଭିସ ରାୟଗଡାର ରବିନ୍ଦ୍ର ପାଣିଗ୍ରାହୀ, ଢେଙ୍କାନାଳର ସବ୍ୟସାଚୀ ମହାକୁଳ, ଗୁଣପୁରର ସୁଧାକର ଶତପଥି ଓ ଭୁବେଶ୍ୱରର ଆଶିଷ କୁମାର ପଟ୍ଟନାୟକ ୪ଜଣ ପ୍ରାର୍ଥୀଙ୍କ ପ୍ରସ୍ତାବ ବିଚାର ପାଇଁ ମନୋନୀତ କରାଯାଇଥିଲା । ତେବେ ଟେକ୍ନିକଲ ବିଡିଂରେ ଅଯୋଗ୍ୟ ଘୋଷଣା ହୋଇଥିବା ଆଶିଷ ପଟ୍ଟନାୟକଙ୍କୁ ଫାଇନାନ୍ସିଆଲ ବିଡିଂରେ ସର୍ବନିମ୍ନ ୯,୬୧,୬୮୧ଟଙ୍କା ଉପସ୍ଥାପନା କରିଥିବା ଦର୍ଶାଇ ଏଲ-୧ ପ୍ରାର୍ଥୀ ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଯାହାକି ଟେଣ୍ଡରର ଟିଡିଏସ ପରେ ପୈାରପାଳିକା ଦ୍ୱାରା ନିର୍ଦ୍ଧିଷ୍ଟ ସର୍ବନିମ୍ନ ମଜୁରୀ ଠାରୁ ମଧ୍ୟ କମ ଥିଲେ ସ୍ଥଳେ ଉକ୍ତ ଟେଣ୍ଡର ନୋଟିସ ଅନୁଯାୟୀ ପ୍ରାର୍ଥୀଙ୍କୁ ମଜୁରିଆଙ୍କର ସର୍ବନିମ୍ନ ସମର୍ଥିତ ମାସିକ ମଜୁରୀ ସହ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜୋତା, ଝାଡୁ, ଗ୍ଳୋବସ୍ ଇତ୍ୟାଦି ଉପକରଣ ଏବଂ ଉକ୍ତ ସଂସ୍ଥାର ସେବା ଦେୟ ସହିତ ମାସିକ ଖର୍ଚ୍ଚ ପ୍ରସ୍ତାବ ଉପସ୍ଥାପନ ପାଇଁ କୁହାଯାଇଥିଲା । ଠିକାଦାର ଶ୍ରୀ ପଟ୍ଟନାୟକ ସର୍ବନିମ୍ନ ମଜୁରୀ ଠାରୁ କମ ମୂଲ୍ୟ, ବିନା ସେବା ଦେୟ ଏବଂ ଆବଶ୍ୟକୀୟ ଉପକରଣ ଓ ଅନ୍ୟାନ୍ୟ ପାଇଁ କିଛି ମୂଲ୍ୟ ରଖି ନ ଥିବା ସ୍ଥଳେ ସଫେଇ କାର୍ଯ୍ୟରେ ଅନିଶ୍ଚିତତା ଓ ଅପାରଗତା ସ୍ପଷ୍ଟ ପ୍ରତିପାଦନ ଏବଂ କାର୍ଯ୍ୟରେ ଘୋର ଆର୍ଥିକ ଅନିୟମିତତାର ଅନିବାର୍ଯ୍ୟତା ସତ୍ୱେ ପୁଣି ଥରେ ଉକ୍ତ ଠିକାଦାରଙ୍କୁ ଅନୁକମ୍ପା ଦେଖାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଦୁର୍ଭାଗ୍ୟଜନକ ବୋଲି ଠିକାଦାର ରବିନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ସେହିପରି ଟେଣ୍ଡର ଫିକ୍ସିଂ ନେଇ ରାୟଗଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଏହାର ତଦନ୍ତ ପାଇଁ ସୁପାରିଶ କରାଯିବାରୁ ଜିଲ୍ଳାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପୈାର ପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଦାସ ତରବରିଆ ଭାବେ ଗତ କିଛି ଦିନ ତଳେ ଠିକାଦାର ଶ୍ରୀ ପଟ୍ଟନାୟକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ଠିକାଦାର ସୁଧାକର ଶତପଥି ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଗୁଣପୁର ପୈାର ପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କୁ ପଚାରିବାରୁ ଟେଣ୍ଡର ପକ୍ରିୟା କମିଟି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ସହ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ଠିକାଦାରଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲା ଯାଇ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଆଶିଷ ପଟ୍ଟନାୟକଙ୍କୁ ଏଲ-୧ ପ୍ରାର୍ଥୀ ଭାବେ ବାଦ ପଡିଥିବା ଠିକାଦାରମାନଙ୍କ ସ୍ୱାକ୍ଷର ପରେ କାର୍ଯ୍ୟାଦେଶ ଦିଆଯାଇଛି । କମିଟି ନିଷ୍ପତି ଏବଂ ଆବଶ୍ୟକୀୟ ଦସ୍ତାବିଜ୍‌କୁ ଆଧାର କରି ଟେଣ୍ଡର ପ୍ରକ୍ରିୟା ସୁରୁଖୁରୁରେ ପରିଚାଳିତ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ସଫେଇ କାର୍ଯ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.