ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ: ଆଜି ଚାଲିଛି ମିଳିତ କ୍ରିୟାନୁଷ୍ଠାନ କମିଟୀ ୧୨ ଘଣ୍ଟିଆ ବନ୍ଦ

କଳାହାଣ୍ଡି, (ହେମନ୍ତ ସାହୁ): ଆଜି ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟୀ ତରଫରୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ମ.ରାମପୁରରେ ବାରଘଂଟିଆ ବନ୍ଦ କାର୍ଯ୍ୟକ୍ରମ ଚାଲିଛି । ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସମୟରେ ଧାରଣା, ଦାବୀପତ୍ର, ବନ୍ଦ ପାଳନ କରିବା ସତ୍ତ୍ୱେ୍ ଏହି ନାର୍ଯ୍ୟ ଅଧିକାରରୁ ବଂଚିତ ରହିଛନ୍ତି ଅଂଚଳବାସୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜସ୍ୱ ସବଡ଼ିଭିଜନ ହେବାର ସମସ୍ତ ଯୋଗ୍ୟତା ରଖୁଥିବାବେଳେ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକା ହେଇଥିବାରୁ ଏବଂ ଏହି ସବୁ ଇଲାକାର ଜନସାଧାରଣଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯାଇ ବିଭିନ୍ନ ଦପ୍ତରୀ କାର୍ଯ୍ୟ ସଂପାଦନ କରିବାକୁ ବହୁ ବ୍ୟୟ ଓ ସମୟ ସାପେକ୍ଷ ହେଇଥାଏ । ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ମ.ରାମପୁର ବ୍ଲକଟି ମଧ୍ୟବର୍ତ୍ତୀ ସ୍ଥଳ ହେଇଥିବା କାରଣରୁ ମ.ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକକୁ ନେଇ ଏହି ରାଜସ୍ୱ ସବଡ଼ିଭିଜନ ପାଇଁ ଦାବୀ ଚାଲୁରହିଛି । ଏହି ବନ୍ଦ ରେ କମିଟୀର ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ ଏବଂ ସଂପାଦକ ଯତିନ କୁମାର ସାହୁ ନେତୃତ୍ୱ ନେଉଥିବାବେଳେ ବିଭିନ୍ନ ସଂଗଠନ ସହଯୋଗ କରୁଛନ୍ତି । ବନ୍ଦ ଫଳରେ ଚାରିଛକଠାରେ (ଜାତୀୟ ରାଜପଥ ୫୯) ଅନେକ ଗାଡ଼ିମଟର ଅଟକି ରହିଥିବା ଦେଖାଯାଇଛି । ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ରହିଚି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.