ଲାଞ୍ଜିଗଡ଼: ଲାଞ୍ଜିଗଡ ସହରରେ ପାନୀୟ ଜଳ ସଙ୍କଟକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୦୧୦ ମସିହାରେ ୧ କୋଟି ୩୦ ଲକ୍ଷ ଅଟକଳ ମୂଲ୍ୟରେ ବଂଶଧାରା ନଦୀରେ ଦୁଇଟି ଷ୍ଟକ ଟାଙ୍କି ନିର୍ମାଣ କରାଯାଇଥିଲା। ଏହାପରେ ଲାଞ୍ଜିଗଡ଼ ସହରର ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। କିନ୍ତୁ ଠିକାଦାର ଓ ଦାଇତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର ପାଇପ କାମ ହୋଇଥିବା ଯୋଗୁଁ ମାତ୍ର ୬ ମାସ ପରେ ବିଛାଯାଇଥିବା ପାଇପ ବିଭିନ୍ନ ସ୍ଥାନରେ ବାରମ୍ବାର ଫାଟିଲା। ଜିଲ୍ଲା ସ୍ତରୀୟ ଦାଇତ୍ୱରେ ଥିବା ଅଧିକାରୀଙ୍କୁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଯାହା ଫଳରେ ଆଜିକୁ ପ୍ରାୟ ୧୧ ବର୍ଷ ହେଲା ଲୋକେ ଏହି ନିମ୍ନ ମାନର ପାଇପ ଲାଇନ ବାରମ୍ବାର ଫାଟିବା ଯୋଗୁଁ ମାସ ମାସ ଧରି ଜଳସଙ୍କଟ ଭୋଗୁଛନ୍ତି। ବର୍ତ୍ତମାନ ଏହି ମାସକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପୁଣି ପାଇପ ଲାଇନ ଫାଟିବା ଯୋଗୁଁ ପଡା ମାନଙ୍କରେ ଜଳସଂକଟ ଦେଖାଦେଇଥିବା ବେଳେ ଲାଞ୍ଜିଗଡ଼ ମୁଖ୍ୟ ରାସ୍ତାର ଥାନା ଛକ, ମେଡ଼ିକାଲ ଛକ, ଏଟିଏମ ଛକ, ହାଇସ୍କୁଲ ଛକର ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ରୋଗୀ, ସ୍କୁଲ ଯିବା ଛାତ୍ରଛାତ୍ରୀ ତଥା ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଦାଇତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ୧୨ ରୁ ଅଧିକ ସ୍ଥାନରେ ପାଇପ ଫାଟିଥିଲା ବର୍ତ୍ତମାନ ତାହା ଓଲଡିଂ କରାଗଲା। ଆଜି ପୁଣି ପାଇପ ଫାଟିବା ମୁଁ ଜାଣିନି। ଯାଇ ଦେଖିବି ବୋଲି ପ୍ରକାଶ କରିଥିଲେ। ରାସ୍ତା ଉପରେ ଆବର୍ଜନା ପାଣି ଜମି ରହିଥିବା ବେଳେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଲାଞ୍ଜିଗଡ଼ ଅଞ୍ଚଳବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in