ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା

ଧର୍ମଗଡ, (କାର୍ତ୍ତିକ ଛତ୍ରିଆ): କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଧର୍ମଗଡ ଏନଏସିର ଏକ ଅସହାୟ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି। ଧର୍ମଗଡ ଏନଏସି ଓ୍ବାର୍ଡ ନଂ ୫ (ତେନ୍ତୁଳିଆପଡା)ର ବାସିନ୍ଦା ପୁରାଣୀ ବାଗ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ସେ ଦୃଷ୍ଟିଶକ୍ତି ବାଧିତ ହୋଇଥିବା ବେଳେ ୬ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି। ଘରେ ୯ବର୍ଷ, ୩ବର୍ଷ ଓ ଦେଢ ବର୍ଷର ତିନୋଟି ଶିଶୁ। ପୁରାଣୀଙ୍କ ଶ୍ବଶୁର ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି। ଶାଶୁ ବାର୍ଦ୍ଧକ୍ୟରେ ଉପନିତ ହୋଇଥିବାରୁ ସେ ମଧ୍ୟ କାମଦାମ କରିପାରୁ ନାହାନ୍ତି। ଏହି ପରିବାରର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିଲେ ମଧ୍ୟ ଆବାସ ଯୋଜନାର ଘର ଖଣ୍ଡେ ପାଇପାରିନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ଚାଉଳ ଓ ଭତ୍ତା ଟଙ୍କାରେ ଜେନତେଣ ଭାବରେ ଚାଲିଛି ଏମାନଙ୍କ ସଂସାର। ଆହା ସାହା ହେବାକୁ ପାଖରେ କେହି ନାହାନ୍ତି। ପୁରାଣୀ ଧିରେ ଧିରେ ଦୃଷ୍ଟିଶକ୍ତି ହରାଇ ବସୁଥିବାରୁ ଚିନ୍ତିତ ଅଛନ୍ତି। ସେ ଧର୍ମଗଡ ଚିକିତ୍ସାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରଖାନା ଯାଇ ନିଜର ଆଖି ପରିକ୍ଷା କରାଇଛନ୍ତି କିନ୍ତୁ ଆଖି ଠିକ ହୋଇପାରିନାହିଁ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପୂର୍ବରୁ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଭେଟି ଚିକିତ୍ସା ସହାୟତା ପାଇଁ ଅନୁରୋଧ କରିଥିଲେ ପୁରାଣୀ। କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ମିଳିପାରିନାହିଁ। ଏହି ପରିବାରର ଅସହାୟ ଅବସ୍ଥା ଦେଖି ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ତତ୍ବାବଧାନରେ ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେ ଲହଜଲ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଧର୍ମଗଡ ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ଧନୁ ଗୋପାଳ ପ୍ରମୁଖ ପୁରାଣୀଙ୍କୁ ସାକ୍ଷାତ କରି କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହାସହ ପୁରାଣୀଙ୍କୁ ଉଚ୍ଚ ଚିକିତ୍ସା କରେଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି ଯୁବ ଯାଦବ ମହାସଭା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.