ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ରାଜ୍ୟ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ପ୍ରମିଳା ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଇଂରେଜୀ ଅଧ୍ୟାପକ ଡଃ ଆନନ୍ଦ ସେଠୀ, ସମ୍ମାନୀତ ଅତିଥି ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ସୁଶାନ୍ତ କୁମାର ପରିଡା, ଡ଼ଃ ଚିତ୍ତରଞ୍ଜନ ମହାନ୍ତି, ସମ୍ମାନୀତ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ସଂସଦର ଜିଲ୍ଲା ସଭାନେତ୍ରୀ କବୟିତ୍ରୀ ମେନକା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନ ଦର୍ଶନର ଉପାଦେୟ କଥା ଉପରେ ବିଶଦ ଆଲୋଚନା କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୫ ଜଣ ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରୀୟ ଛାତ୍ର ମେଧା ସମ୍ମାନ ମାନପତ୍ର ପ୍ରଦାନ କରାଯାଇଥିଲା ।