● ୨୮ ଡିସେମ୍ବରରେ ମାନସିକ ରୋଗ ନିରୂପଣ ଶିବିର
ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ମାନସିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର, ସ୍ଵାସ୍ଥ୍ୟ ପରିଦର୍ଶକ ଶନ୍ତ୍ୱନୁ ମେହେରଙ୍କ ସମେତ ଡାକ୍ତରଖାନାର କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୨୮ ଡିସେମ୍ବରରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମାଗଣା ମାନସିକ ରୋଗ ନିରୂପଣ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ମାନସିକ ରୋଗର ଅଭିଜ୍ଞ ଚିକିତ୍ସକମାନେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ଶିବିର ଦିନ ପ୍ରାତଃ ୯ ଘଣ୍ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହେବା ସହ ଅପରାହ୍ନ ୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଶିବିର ଚାଲୁ ରହିବ । ମାନସିକ ରୋଗ ତଥା ଶିବିର ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ ସାହୁଙ୍କ ତତ୍ତ୍ଵାବଧାନରେ ୨୭ ଡିସେମ୍ବର ଯାଏଁ ଏହି ରଥ ସୋନପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ ବୁଲିବ ବୋଲି ବ୍ଲକ ସ୍ଵାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।