ସମାଜକୁ ଦିଗଦର୍ଶନ ଦେବାରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ

● ଏସୟୁଜେ ସାମ୍ବାଦିକ ୟୁନିୟନର ବାର୍ଷିକ ଉତ୍ସବ

ରାୟଗଡା, (ଶିବ ନାରାୟଣ ଗୈାଡ): ରାଜ୍ୟ ସାମ୍ବାଦିକ ୟୁନିୟନ୍‌,ଓଡିଶା (ଏସୟୁଜେ(ଓ))ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଆଜି ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସାଙ୍କେଶ ତୋଟା ଠାରେ ଅନୁଷ୍ଠିତ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ -୧ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଏସୟୁଜେ ରାଜ୍ୟ ସଂଘ ଉପସଭାପତି ତଥା ଜିଲ୍ଳା ଆବାହକ କୀର୍ତିଚନ୍ଦ୍ର ସାହୁ, ଜିଲ୍ଳା ଉପସଭାପତି ସହଦେବ ସାହୁ ପ୍ରମୁଖ ଯୋଗ ଦେଇ ମଂଚାସୀନ ହୋଇଥିଲେ ।


ଜିଲ୍ଳା ସାଧାରଣ ସଂପାଦକ ସୁବାଷଚନ୍ଦ୍ର ସୂର୍ଯ୍ୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ରାୟଗଡାରେ ଏସୟୁଜେ ସଂଘ ଗଠନ ଦିନରୁ ସଂଘ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟ, ବୃକ୍ଷରୋପଣ, ଅସହାୟଙ୍କୁ ସହାୟତା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ଶ୍ରୀ ସୂର୍ଯ୍ୟ ଅବଗତ କରାଇଥିଲେ । ସେହିପରି ସଂଘ ଗଠନର ମୂଳ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ସଭାପତି ଶ୍ରୀ ଗଉଡ ନିଜ ଅଭିଭାଷଣ ରଖିଥିଲେ । କୋଭିଡ-୧୯ଭଳି ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ଠାରେ ସଠିକ୍ ଖବର ପ୍ରକାଶିତ କରିଥିବାରୁ ଲୋକଙ୍କ ଠାରେ ସରକାରଙ୍କ ଦ୍ୱାରା ଉପଯୁକ୍ତ ଚିିକିତ୍ସା ସେବା ପଂହଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଏବଂ କୋଭିଡ ଯୋଗୁଁ ପ୍ରଶାସନର ଯୁଗ୍ମ ଶୁଣାଣୀ ବନ୍ଦ ରହିଥିବା ବେଳେ ମୈାଳିକ ସୁବିଧା ପାଇବାରେ ବଂଚିତ ଲୋକଙ୍କ ଅଭିଯୋଗକୁ ଖବର ମାଧ୍ୟମରେ ପ୍ରକାଶିତ କରି ସାମ୍ବାଦିକମାନେ ପ୍ରଶାସନର ଦୃଷ୍ଟି ଆର୍କଷଣ କରିପାରୁଛନ୍ତି ବୋଲି ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ସରକାରଙ୍କ ତରଫରୁ ସାମ୍ବାଦିକମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ଓ ସହାୟତା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସଠିକ୍ ସମୟରେ ଯୋଗାଇ ଦିଆଯାଉଛି ବୋଲି ସମ୍ମାନୀତ ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ।


ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନ ଦେବା ସମସ୍ତ କନିଷ୍ଠ ସାମ୍ବାଦିକଙ୍କ ଲକ୍ଷ୍ୟ ହେଉ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଜିଲ୍ଳାର ଦିବଂଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘରେ ନୂତନ ସଦସ୍ୟଙ୍କୁ ସାମିଲ କରାଯାଇ ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଳା କାର୍ଯ୍ୟକାରିଣୀ କମିିଟିକୁ ସଂପ୍ରସାରଣ କରାଯାଇଥିଲା । ଏହି କମିଟିରେ ଉପସଭାପତି ଭାବେ ସାମ୍ବାଦିକ ସନ୍ତୋଷ କୁମାର ଗୁରୁ, ଦେବେନ୍ଦ୍ର ନାଏକ, ଯୁଗ୍ମ ସଂପାଦକ ଗୁରୁ୍‌ବିନ୍ଦର ସିଂ, ସାଂଗଠନିକ ସଂପାଦକ ଭାବେ ମୃତ୍ୟୁଂଜୟ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ରାଜେଶ କୁମାର ପଣ୍ଡା ଏବଂ ଜିଲ୍ଳା ସଂଘ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ବିଜୟ କୁମାର ମହାରଣାଙ୍କୁ ମନୋନୀତ କରାଯାଇଥିଲା ।

ନୂତନ ଭାବେ ଦାୟିତ୍ୱ ପାଇଥିବା ନୂତନ କର୍ମକର୍ତା ଓ ସଦସ୍ୟମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଅତିଥିମାନଙ୍କୁ ମଧ୍ୟ ଏସୟୁଜେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳାର ୧୧ଗୋଟି ବ୍ଳକ ଓ ଜିଲ୍ଳା ସଦର ମହକୁମାର ୭୦ଜଣ ସଦସ୍ୟମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.