● ପେନସନ ବୃଦ୍ଧି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବାକୁ ଦାବୀ
କେନ୍ଦ୍ରାପଡ଼ା: ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀ ଆଜି ବଳଦେବଜିଉ ପୀଠ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବସନ୍ତ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମ୍ମିଳନୀରେ ବିଶିଷ୍ଟ ଶ୍ରମିକ ନେତା ତଥା ସ୍ତମ୍ଭକାର ଶ୍ରୀରାମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇପିଏଫ୍ ପେନସନ ଭୋଗୀଙ୍କ ସର୍ବନିମ୍ନ ପେନସନ ରାଶିକୁ ମାସିକ ୯ହଜାର ଟଙ୍କାକୁ ବୃଦ୍ଧି କରିବା ସହ ମହାଙ୍ଗା ଭତା ପ୍ରଦାନ କରିବା ଏବଂ ଓଡ଼ିଶାରେ ଥିବା ୧ଲକ୍ଷ ୬୨ହଜାର ପେନସନ ଭୋଗିଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରି ମାଗଣା ଚିକିତ୍ସା ସୁବଧା ଯୋଗାଇ ଦେବାପାଇଁ ହେଉଥିବା ଦାବିକୁ ଦୃଢ଼ ସମର୍ଥନ କରିଥିଲେ । ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ସମେତ ସାରା ଦେଶରେ ଥିବା ୬୭ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରିଥିଲେ । ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା, ପେନସନ ସହ ମହାଙ୍ଗା ଭତା ପ୍ରଦାନ କରିବା ଏବଂ ଓଡ଼ିଶାରେ ଥିବା ଇପିଏଫ୍ ପେନସନ ଭୋଗୀ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଦାବୀ ପୁରାଣ ନହେଲେ ଆଗାମୀ ଦିନରେ ଭାରତ ବର୍ଷର ସମସ୍ତ ରାଜ୍ୟର ଇପିଏଫ୍ ପେନସନଭୋଗୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।
ଉଠା ଜଳସେଚନ ନିଗମ କର୍ମଚାରୀ ଫେଡ୍ରେସନର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହି ତାଙ୍କର ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଇପିଏଫ୍ ପେନସନ ମାରଣ ନୀତିକୁ ଦୃଢ଼ ନିନ୍ଦା କରିବା ସହ ଐକବଦ୍ଧ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ଲୋକନାଥ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଆଇଟିୟୁସି ର ଜିଲ୍ଲା ସମ୍ପାଦକଙ୍କ ସମେତ ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ମୟୂରଭଞ୍ଜ ଜିଲ୍ଲା କର୍ମକର୍ତ୍ତା ମଧୁସୂଦନ ଜେନା, ବାଲେଶ୍ଵର ଜିଲା କର୍ମକର୍ତ୍ତା ମାୟାଧର ନାୟକ ଓ ଶ୍ୟାମ ସୁନ୍ଦର ଜେନା, ଯାଜପୁର ଜିଲ୍ଲା କର୍ମକର୍ତ୍ତା ନିରଞ୍ଜନ ପରିଡ଼ା ଓ ସଂଯୋଜକ ଶରତ ପାଣି, ଜଗତସିଂହପୁର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, କଟକ ଜିଲ୍ଲା ସଭାପତି ରାଜ କିଶୋର ସ୍ବାଇଁ, ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ, ସମ୍ପାଦକ ମାୟାଧର ମଲ୍ଲିକ ଓ କେନ୍ଦ୍ରାପଡ଼ା ଜିଲ୍ଲା କର୍ମକର୍ତ୍ତା ପିତାମ୍ବର ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ଦିବଂଗତ ସଭ୍ୟା/ସଭ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା। ଶେଷରେ ଅନନ୍ତ ଚରଣ ଦାସ ଧନ୍ୟବାଦ ଦେବା ପରେ ସମ୍ମିଳନୀ ଉଦଯାପିତ ହୋଇଥିଲା।