ଉପର ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକେଇଲେ ଚାଷୀ

କୋକସରା, (ହିରଣ୍ୟ ବେହେରା): କୁସୁମଖୁଣ୍ଟି ସ୍ଥିତ ଜଳ ସମ୍ପଦ ବିଭାଗର ଇନ୍ଦ୍ରବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଜି ତାଲା ପକାଇ ଦେଇଥିଲେ ଅଞ୍ଚଳର ଶହଶହ ଚାଷୀ । ଖବର ପାଇ କୋକସରା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଚାଷିଙ୍କ ସହ ଆଲୋଚନା କରିଥିବାବେଳେ ଚାଷିମାନେ ନିଜ ଜିଦରେ ଅଟଳ ରହିଥିଲେ । ପରେ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ପାତ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ଯନ୍ତ୍ରୀ ଘଟଣାର ସମାଧାନ ପାଇଁ ଆସନ୍ତା କାଲି ପର୍ଯ୍ୟନ୍ତ ସମୟ ମାଗିଥିବା ବେଳେ ଆନ୍ଦୋଳନରତ ଚାଷିମାନେ ତାଲା ଖୋଳି ଦେଇଛନ୍ତି । ତେବେ ଆସନ୍ତା କାଲି ନିର୍ଭର ପ୍ରତିଶ୍ରୁତି ନଦେଲେ ପୁଣି କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି । ଚାଷୀମାନେ ଅସନ୍ତୋଷ ହୋଇ କାର୍ଯ୍ୟାଳୟରେ ତାଲା ପକାଇବାର କାରଣ ସଂପର୍କରେ ପ୍ରକାଶ କରିଛନ୍ତି ଯେ, ଧର୍ମଗଡ଼ ବ୍ଲକ ତରାପୁର ପଞ୍ଚାୟତର ଫୁଲିମୁଣ୍ଡା ଗେଟ ପର୍ଯ୍ୟନ୍ତ ରବିଚାଷ ପାଇଁ ମୁଖୀଗୁଡା ଇନ୍ଦ୍ରାବତୀ ଜଳଭଣ୍ଡାର ବାମ କେନାଲରୁ ଜଳସେଚନ ଦାବିରେ ବିଗତ ୧ ମାସରୁ ଉର୍ଦ୍ଧ୍ୱ ହେବ ଅଞ୍ଚଳର ତରାପୁର, ଫୁଲିମୁଣ୍ଡା, କାର୍ଲକୋଟ, ଝାରକୁଣ୍ଡାମାଲ, ପୋଢ଼ବେଡା ଅଞ୍ଚଳର ଚାଷି ଦାବି କରି ଆସୁଛନ୍ତି । ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଓ ପ୍ରଶାସନ ସହ ଅଞ୍ଚଳର ଚାଷୀମାନେ ବିଭିନ୍ନ ସମୟରେ ବୈଠକ କରି ଆଲୋଚନା କଲାପରେ ମଧ୍ୟ ପ୍ରତିଶୃତି ଦେଇ ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ବର୍ତ୍ତମାନ ସୁଦ୍ଧା ପାଣି ଯୋଗାଣ ନେଇ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

ଅନ୍ୟପକ୍ଷରେ ଇନ୍ଦ୍ରାବତୀ ବାମ କେନାଲର ପୋଢ଼ବେଡାରୁ ଧର୍ମଗଡ଼ ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନରେ ମରାମତି ପାଇଁ ଟେଣ୍ଡର ସରିଛି । କାମ ଆରମ୍ଭ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ଉଦ୍ଦେଶ୍ୟ ମୂଳକ ଭାବେ ପୋଢ଼ବେଡା ଡିଷ୍ଟ୍ରିବ୍ୟୁଟାରିରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଚାଷଜମି ଅଞ୍ଚଳକୁ ଜଳସେଚନ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚାପ ପ୍ରୟୋଗ କରୁଛନ୍ତି । କାରଣ ଏହି କାର୍ଯ୍ୟ ସମ୍ପାଦିତ ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଲକ୍ଷ ଲକ୍ଷ ମୁନାଫା ରହିଥିବା ନେଇ ଚାଷି ଅଭିଯୋଗ ଆଣିଛନ୍ତି । ଏଣୁ ବିଭାଗୀୟ ଅଧିକାରୀ ଟେଣ୍ଡର କାର୍ଯ୍ୟକୁ ପ୍ରାଧାନ୍ୟତା ଦେଇ ଚାଷି ଓ ଜଳ ଯୋଗାଣକୁ ଉପେକ୍ଷା କରୁଥିବା ନେଇ ଚାଷି ଟେକଚାନ୍ଦ ଛତ୍ରୀଆ, ଆଶିଷ କୁମାର ପଣ୍ଡା, ସଞ୍ଜୀବ କୁମାର ସାହୁ, ପୁରୁଷୋତ୍ତମ ସିଂ, ତରୁଣ ଭୋଇ, ଦୀପକ କୁମାର ସାହୁ, ସରୋଜ କୁମାର ସାହୁ, ଯଶୋବନ୍ତ ପଣ୍ଡା ସମେତ ଅନେକ ଚାଷି ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.