କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ -ଅତିରିକ୍ତ ଜିଲ୍ଲାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଯାପନୀ ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ଵ ରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଆଇ ସି ଡି ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆଇ ସି ଡି ଏସ ସୁପରଭାଇଜର ଜିଲ୍ଲାର ଏବଂ ବିଭିନ୍ନ ବ୍ଲକର କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ ।


ଦେଶରେ ତଥା ଜିଲ୍ଲାରେ କନ୍ୟା ସନ୍ତାନ ମାନଙ୍କର ସଂଖ୍ୟା କ୍ରମାଗତ ଭାବେ କମୁଥିବାର କାରଣ ଓ ଏହାର ନିରାକରଣ ଉପରେ ଆଲୋକପାତ କରାଯାଇ କନ୍ୟା ସନ୍ତାନ ମାନଙ୍କ ପାଇଁ ଥିବା ବିଭିନ୍ନ ସମସ୍ୟା ଯେପରିକି କନ୍ୟା ଭ୍ରୁଣ ହତ୍ୟା, କନ୍ୟା ଶିଶୁ ଚାଲାଣ, ବାଲ୍ୟ ବିବାହ ଓ ପୁଅ ଓ ଝିଅ ମାନଙ୍କ ଭିତରେ ଅସମାନତାର ମାନସିକତା ବିଷୟରେ ବିଶଦଭାବେ ଆଲୋଚନା କରଯାଇ ଆଗାମୀ ଦିନରେ “ପ୍ରଚେଷ୍ଟା” ବେନର ରେ ଜିଲ୍ଲାରେ ଜଣ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରଯାଇଥିଲା। ଏହି ସମସ୍ୟା ଗୁଡିକର ନିରାକରଣ ନିମନ୍ତେ ଓ ସମାଜରେ ମାନସିକତାର ପରିବର୍ତ୍ତନ ନିମନ୍ତେ କିଶୋରୀ ମାନଙ୍କୁ ସାମିଲ କରି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା ।


ବିଭିନ୍ନ ଦିନ ମାନଙ୍କରେ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ୧୦ ରୁ ୧୯ ବର୍ଷର ସମସ୍ତ କିଶୋରୀ ମାନଙ୍କୁ ସାମିଲ କରି ବିଭିନ୍ନ ଖେଳକୁଦ, ନାଚ ଗୀତ, ଝୋଟି ଏବଂ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଓ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ କରିବା, ବାଳିକା ମଣ୍ଡଳର ବୈଠକରେ କିଶୋରୀ ସ୍ୱାସ୍ଥ୍ୟ, ସ୍କୁଲ ଖୋଲିଲେ ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ଆଲୋଚନା କରଯାଇଥିଲା । ଆଜି ଜିଲ୍ଲା ସ୍ତରରେ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଯୋଗଦେଇ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷାର ଦାୟିତ୍ଵ ଉଭୟ ସମାଜ ଓ ପ୍ରଶାସନର ରହିଛି ବୋଲି ଜୋର ଦେଇ କହିଥିଲେ । ଏହି କ୍ରମରେ ପଂଚାୟତ ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟି ଓ ବ୍ଲକ ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟିର ସମ୍ପୃକ୍ତି ରହିଲେ ସମଗ୍ର ଜିଲ୍ଲାରେ ଜନସଚେତନତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ କନ୍ୟା ସନ୍ତାନ କମ ଥିବା ହାରକୁ ବଢା ଯାଇ ପାରିବ ଫଳରେ ସମାଜରେ ପୁଅ ଝିଅ ଅନୁପାତରେ ଏକ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଯେ ଆମ ସମାଜରେ ଦିନକୁ ଦିନ କନ୍ୟା ସନ୍ତାନ ମାନଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି । ଆମେ ଆଜି ବିଜ୍ଞାନ ଉପରେ ନିର୍ଭର କରି ଆଗକୁ ଯିବା ପାଇଁ ଚିନ୍ତା କରୁଥିବା ସମୟରେ କନ୍ୟା ସନ୍ତାନ ମାନଙ୍କ ସଂଖ୍ୟା କମିବା ଆମକୁ ଅନେକ ପଛକୁ ନେଇ ଯାଉଛି । କନ୍ୟା ମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ହିଂସା ପରିବାରର ବାପା ମା ମାନଙ୍କ ଉପରେ ଆଘାତ ଦେଇ ଚାଲିଛି । ଆମକୁ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପ୍ରତି ଆହୁରି ଅଧିକ ଗୁରୁତ୍ଵ ଦେବାକୁ ପଡିବ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସବୁବେଳେ ତତ୍ପରତା ଦେଖାଇ ଆସିଛି । ଆଇ ସି ଡି ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ବିଭିନ୍ନ ବ୍ଲକରୁ ଯୋଗଦେଇଥିବା କିଶୋରୀ ମାନେ ନିଜର ମତ ଉପସ୍ଥାପନ କରିବା ପାଇଁ ସହଯୋଗ କରିବା ସହିତ ବୈଠକକୁ ପରିଚାଳନା କରିଥିଲେ । ବିଭିନ୍ନ ବ୍ଲକରୁ ପ୍ରାୟ ୧୦୦ ଜଣ କିଶୋରୀ ଏହି ଭର୍ଚୁଆଲ ମିଟିଂ ରେ ଯୋଗ ଦେଇଥିଲେ ଓ ପ୍ରତ୍ୟେକ ବ୍ଲକରୁ ବକ୍ତୃତା, ଗୀତ ଓ କୁଇଜ ରେ ଭଲ ପ୍ରଦର୍ଶନ କରିଥିବା ୩ ଜଣ ଲେଖାଏଁ କିଶୋରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏହି ଜାତୀୟ ଶିଶୁ କନ୍ୟା ଦିବସ ପାଳନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତଦାରଖ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନୱାଡି କର୍ମୀ ମାନେ ନିଜ ଅଞ୍ଚଳର କିଶୋରୀମାନଙ୍କୁ ନେଇ କୋଭିଡ ନିୟମ ପାଳନ ପୂର୍ବକ କିଶୋରୀ ବାଳିକା ମଣ୍ଡଳର ବୈଠକ, କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ ଓ ନିଜ ଉପସ୍ଥିତିରେ ଖାଇବା ପାଇଁ ଉତ୍ସାହିତ କରିଥିଲେ । ଜିଲ୍ଲାସ୍ତରରେ ଆଇ ସି ଡି ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.