ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା: କିଏ ଜିତିବ ଆଉ କିଏ ହାରିବ, ଗାଁ ଗାଁରେ ଅଙ୍କ କଷା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁଠି ଦେଖା ଦେଇଥିଲା ଚଳ ଚଞ୍ଚଳ ପରିବେଶ ଓ ରାଜନୈତିକ ଉଷ୍ମତା ।ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ସକାଳ ୬ ଘଣ୍ଟା ଠାରୁ ମତଦାନ କେନ୍ଦ୍ର ଗୁଡିକରେ ନିର୍ବାଚନ ନିୟମ ଅନୁଯାୟୀ ଯଥାବିଧି ନିର୍ବାଚନ ପରିଚାଳନା ଆରମ୍ଭ ହୋଇଥିଲା ।ସକାଳ ୭ ଘଣ୍ଟା ଠାରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଗୁଡିକରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ ନିଶ୍ଚିତ ହୋଇଥିଲା । ମତଦାନ କେନ୍ଦ୍ର ଗୁଡିକ ମଧ୍ୟରେ ଭୋଟରଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନ ରେ ପଇଁତରା ମାରିବା ଫଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଆଉ ହାତ ଗଣତି କେଇଟା ଦିନ ପରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିବ । ନିର୍ବାଚନ ସରିବା ପରେ ସବୁ ଚା’ଖଟି ରେ ଏବେ ମତଦାନକୁ ନେଇ ଆଲୋଚନା ହେଉଛି । କେଉଁ ଦଳକୁ କେତେ ଭୋଟ ଯାଇଛି, କାହାର ପଲ୍ଲା କେତେ ଭାରି ରହିଛି । ତାକୁ ନେଇ ଅଙ୍କ କଷା ଚାଲିଛି । ବିଶେଷ କରି ଜିଲ୍ଲା ପରିଷଦରେ କେଉଁ ଦଳ ଜିତିବ ତାକୁ ନେଇ ବି ଅଧିକ ଚର୍ଚ୍ଚା ହେଉଛି । ତେଣୁ ଫଳାଫଳ ଘୋଷଣା ଦିବସ ଏବେ ସମସ୍ତଙ୍କ ହୃତ ସ୍ପନ୍ଦନ ବଢ଼ାଇ ଦେଇଛି । ଏବେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ନିଦ ହଜିଯାଇ କେବଳ ମାନସ ମନ୍ଥନ ଜାରି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.