ଭତରା ସମ୍ପ୍ରଦାୟର ମହାନ ପାର୍ବଣ: ସୁନାଦେଇ, ଭୈରବ, କଳାରେନ ମାଁ ଓ ଗୁରୁ ଦେବତାଙ୍କ ପାଟ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଭତରା ସଂପ୍ରଦାୟର ଏକ ସମୃଦ୍ଧ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ରହିଛି । ପୂର୍ବପୁରୁଷ ଅନୁକ୍ରମେ ସେମାନେ ପାଳନ କରି ଆସୁଥିବା ଅନେକ ପାର୍ବଣ ମଧ୍ୟରୁ ଚଲାନ ବଂଶର ପାଟ ଯାତ୍ରା ଅନ୍ୟତମ । କୋକସରା ବ୍ଲକ ଖଲିଗଡ଼ ଗ୍ରାମରେ ଚଳାନ ବଂଶର ଇଷ୍ଟ ଦେବାଦେବୀ ମାଁ ସୁନାଦେଇ, ଭୈରବ ଦେବୀ, କଳାରେନ ମାଁ ଓ ଗୁରୁ ଦେବତା ଏହି ଚାରୋଟି ଦେବୀ ଦେବତାଙ୍କ ପାଟ ଯାତ୍ରା ଆଜି ସମାପନ ହୋଇଯାଇଛି । ତିନିଦିନ ଧରି ପାରମ୍ପାରିକ ରିତି ନିତି ଅନୁକ୍ରମେ ଏହି ଯାତ୍ରା ଆୟୋଜିତ ହୋଇଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏହି ପାର୍ବଣ ପାଇଁ ପ୍ରଥମେ କଳସ ଯାତ୍ରା କରି ଶୁଭଖମ୍ବ ସ୍ଥାପନ ହୋଇଥିଲା । ପରେ ଚଳାନ ବଂଶୀୟ ଚାରୋଟି ଦେବୀଙ୍କୁ ଆବାହନ କରି ପୀଠ ସ୍ଥାପନ କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗ୍ରାମର ବିଭିନ୍ନ ଦେବା ଦେବୀଙ୍କ ଲାଠି, କାଳିସୀ ଓ ବନ୍ଧୁ ବାନ୍ଧବଙ୍କ ଲାଠି କାଳିସୀ ଗ୍ରାମ ପରିକ୍ରମା କରି ପୀଠକୁ ଆସିଥିଲେ । ମାଘ ମାସରେ ଆୟୋଜିତ ହେଉଥିବା ଏହି ଆଦିବାସୀ ଭତରା ସମ୍ପ୍ରଦାୟ ଚଳାନ ବଂଶୀୟ ପାଟଯାତ୍ରାର ଉଦଯାପନୀ ଦିନ ସକାଳୁ ସୁରୁଜ ପୂଜା ଓ ପରେ ପୀଠ ପୂଜାରେ ସମସ୍ତ ଦେବା ଦେବୀଙ୍କୁ ଭୋଗ ନୈବେଦ୍ୟ ଦେଇ ବୋଦା, ଗଡାରା, କୁକୁଡ଼ା ଆଦି ବଳି ଦିଆଯାଉଥିବା ଜଣାଯାଏ । ପ୍ରତି ପାଞ୍ଚରୁ ସାତ ବର୍ଷରେ ହେଉଥିବା ଏହି ପାଟ ଯାତ୍ରା ହେବା ଯୋଗୁଁ ଚଳାନ ବଂଶର ସମସ୍ତ କୁଟୁମ୍ବ ସହିତ ବନ୍ଧୁ ବାନ୍ଧବ ସୁଖରେ ରହୁଥିବା ବିଶ୍ୱାସ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.