ନିୟମଗିରୀରେ ଫେରିଲା ଗଣତନ୍ତ୍ର, ଏଥର ବୁଲେଟ ନୁହେଁ ବେଲଟ

● ୨୦ବର୍ଷ ପରେ ଭୋଟଦେଲେ ନିୟମଗିରୀ ବାସୀ

● ସୁରକ୍ଷା ବଳୟରେ ତ୍ରିଲୋଚନପୁରର ୧୧ଗୋଟି ବୁଥ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼: ନିୟମଗିରୀ ଅଞ୍ଚଳରେ ସମସ୍ତଙ୍କ ମୁହଁରେ ହସ । ସକାଳୁ ଧାଡିବାନ୍ଧି ଓହ୍ଲାଇ ଆସିଥିଲେ ଡଙ୍ଗରୀଆ ଝରଣୀଆ ଯୁବକ ଯୁବତୀ । ପାରମ୍ପାରିକ ବେସ ଭୁଷଣରେ ସୁସଜ୍ଜିତ ଥିଲେ ସମସ୍ତେ ଯେହେତୁ ଆଜି ଥିଲା ଗଣତନ୍ତ୍ରର ମହାନ ପର୍ବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଦିର୍ଘ ୨୦ବର୍ଷ ପରେ ସେମାନେ ନିଜ ପ୍ରିୟ ପ୍ରାର୍ଥିଙ୍କ ସପକ୍ଷରେ ମତ ସାବ୍ୟସ୍ତ କରିବେ। ଆଗରୁ ଏହି ଲାଲଗଡ଼ କୁହାଯାଉଥିବା ତ୍ରୀଲୋଚନପୁର ପଞ୍ଚାୟତରେ ଇଲେକ୍ସନ ନୁହଁ କେବଳ ସିଲେକ୍ସନ ଚାଲୁଥିଲା । ଲାଲ ବାହିନିର କବ୍ଚାରେ ରହିଥିଲା ଏହି ଅଞ୍ଚଳ । ସେଥିପାଇଁ ୨୦୦୨ ମସିହାରୁ ଏଠାରେ ନିର୍ବାଚନ ହୋଇପାରୁନଥିଲା କିନ୍ତୁ ବାରମ୍ବାର ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନତା ଓ ଅପହଞ୍ଚ ଇଲାକା ମାନଙ୍କରେ ଥିବା ଗାଁ ଗୁଡିକରେ ରାସ୍ତାଘାଟ, ଶିକ୍ଷା, ପାନୀୟଜଳ ଆଦି ସରକାରଙ୍କ ମୈାଳିକ ଅଧିକାର ସେମାନଙ୍କୁ ଯୋଗାଇ ଦିଆଗଲା । ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଏହି ମାଓବାଦିଙ୍କ ଗଡ଼ କୁହାଯାଉ ଥିବା ନିୟମଗିରୀ ଅଞ୍ଚଳକୁ ବାରମ୍ବାର ଗସ୍ତ କରି ଲୋକଙ୍କ ସୁଖଦୁଃଖରେ ଛିଡାହେବା ସେ ଅଞ୍ଚଳରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର କରିବା ଲୋକଙ୍କୁ ଆକୃଷ୍ଠ କରିଥିଲା । ସମସ୍ତ ଲୋକ ସଚେତନ ହେଲେ । ବର୍ତ୍ତମାନ ଏହି ମାଓଗଡକୁ ଗଣତନ୍ତ୍ର ଫେରିଛି ଏଥର ବୁଲେଟ ନୁହଁ ବେଲଟ ପେପରରେ ମୋହର ମାରି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ନିୟମଗିରୀ ଅଞ୍ଚଳବାସୀ । ତ୍ରୀଲୋଚନପୁର ପଞ୍ଚାୟତରେ ୧୧ଗୋଟି ଅତି ସମ୍ବେଦନଶିଳ ବୁଥ ରହିଥିବା ବେଳେ ୧୦୮୦ଭୋଟର ଅଛନ୍ତି । ସେ ମଧ୍ୟରୁ ଆଜି ୯୮୨ଜଣ ନିଜ ମତ ସାବ୍ୟସ୍ତ କରିଛନ୍ତି । ୮୬.୬୫ପ୍ରତିଶତ ଭୋଟ ପଡିଥିବା ନିର୍ବାଚନି ଅଧିକାରୀ ପ୍ରକାଶ କରିଛନ୍ତି । ହେଲେ ୨୨ ଫେବୃଆରୀ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟର ଏହି ନିର୍ବାଚନରେ ୧୧ଗୋଟି ବୁଥକୁ ପୁଲିସର ସୁରକ୍ଷା ବଳୟ ଭିତରେ ରଖା ଯାଇଥିଲା । ଯେମିତି କୈାଣସି ଅପ୍ରୀତି ଘଟଣା ନଘଟେ ସେଥିପାଇଁ ତିକ୍ଷ୍ଣ ନଜର ରଖିଥିଲା ପୁଲିସ ଟିମ୍ । ଏହି ଅଞ୍ଚଳରେ ନିର୍ବାଚନ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଯାହା ଆଜି ସଫଳ ହୋଇଛି । ଏହି ସଫଳତାରେ ଜନସାଧାରଣଙ୍କ ଅନେକ ଅବଦାନ ଅଛି ସେମାନଙ୍କ ବିନା ସାହାଯ୍ୟରେ ଏହା ଅସମ୍ଭବ । ପ୍ରଶାସନ ତାର କାମ କରିଛି ଏବଂ ଲୋକଙ୍କୁ ସଚେତନ କରିଛି । ଲୋକେ ମଧ୍ୟ ଆମ କଥା ଶୁଣିଛନ୍ତି । ଦିର୍ଘ ୨୦ବର୍ଷରେ ଯାହା ହୋଇନଥିଲା ତାହା ଏବେ ସଫଳ କରି ଦେଖେଇ ଦେଇଛନ୍ତି ବୋଲି ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ ପ୍ରକାଶ କରିଛନ୍ତି ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.