୨୬ ଫେବୃଆରୀରେ ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ

ନର୍ଲାରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀ ମାନଙ୍କ ଭାଗ୍ୟ ବ୍ୟାଲଟ ବାକ୍ସରେ ବନ୍ଦ ହୋଇ ଷ୍ଟ୍ରଙ୍ଗ ରୁମ ରେ ଜଉମୁଦ ମାରି ରଖାଯାଇଛି । ଆସନ୍ତା ୨୬ ଫେବୃଆରୀ ଶନିବାର ଦିନ ନର୍ଲା ବ୍ଲକ୍ ନଂ-୧ ଜିଲ୍ଲା ପରିଷଦ ଜୋନ୍ (ପଲମ)ରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତର ୧୦୩ ଗୋଟି ବୁଥ୍ ର ଭୋଟ ଗଣନା କରାଯିବ । ସେଦିନ ୮ ଗୋଟି ଗ୍ରାମ ପଂଚାୟତ ର ୮ ସରପଞ୍ଚ, ୮ ସମିତି ସଦସ୍ୟ ଓ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ପ୍ରତିଦ୍ବନ୍ଦିତା ହେଉଥିବା ୨୪ ଗୋଟି ୱାର୍ଡ ର ୨୪ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୪୧ ଜଣଙ୍କ ଭାଗ୍ୟ ଖୋଲିବ । ସେହିଭଳି ୨୭/୨ ଦିନ ଦ୍ୱିତୀୟ ପର୍ଯାୟ ରେ ନଂ-୨ ଜିଲ୍ଲା ପରିଷଦ (ସରିଆଁ) ଜୋନ ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୧୫ ଗୋଟି ବୁଥ୍ ଓ ୨୮/୨ ଦିନ ତୃତୀୟ ପର୍ଯ୍ୟାୟରେ ନଂ-୩ (ନର୍ଲା) ଜୋନ୍ ର ୮ ଗୋଟି ଗ୍ରାମ ପଂଚାୟତର ୧୦୫ ଗୋଟି ବୁଥ୍ ଏଭଳି ନର୍ଲା ବ୍ଲକ୍ ରେ ରହିଥିବା ତିନିଗୋଟି ଜିଲ୍ଲା ପରିଷଦ ଜୋନ ର ୨୬ ଗୋଟି ଗ୍ରାମ ପଞ୍ଚାୟତର ୩୨୩ ଗୋଟି ବୁଥ୍ ର ଭୋଟ ଗଣତି କରାଯିବ । ଏଥିପାଇଁ ନର୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀ ବ୍ଲକ୍ ପରିସରରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗଣନା ପାଇଁ ସୁ-ବ୍ୟବସ୍ଥା କରିଥିବା ସୂଚନା ଦେଇଛନ୍ତି । ସକାଳ ୮ ଘଣ୍ଟାରୁ ଭୋଟ ଗଣତି ଆରମ୍ଭ ହେବାକୁ ରହିଥିବା ବେଳେ ପ୍ରାର୍ଥୀ/ପ୍ରାର୍ଥୀନୀ ଓ ଜନସାଧାରଣଙ୍କୁ ଏହାର ସୂଚନା ଦେବା ନିମନ୍ତେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ପ୍ରତି ବୁଥ୍ ର ରିପୋର୍ଟ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ପ୍ରତି ଗ୍ରାମ ପଞ୍ଚାୟତର ବୁଥ୍ ଅନୁଯାୟୀ ଗଣତି ଟେବୁଲ ବ୍ୟବସ୍ଥା ରହିବ । ନର୍ଲା ବ୍ଲକ୍ ପରିସରରେ ଭୋଟ ଗଣତି ନିମନ୍ତେ ବ୍ଲକ୍ ଷ୍ଟାଫ୍, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ନର୍ଲା ତହସିଲ ଅଫିସ୍ ଷ୍ଟାଫ୍, ଶିକ୍ଷକ ମାନଙ୍କୁ ଏଭଳି ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ର ପିଅନ ମାନଙ୍କୁ ମଧ୍ୟ ଏଭଳି ସମୁଦାୟ ୧୪୦ ଜଣଙ୍କୁ ଭୋଟ ଗଣତି ସହିତ ଷ୍ଟ୍ରଙ୍ଗରୁମ୍ ଏଲଟମେଣ୍ଟ ଡ୍ୟୁଟି, ବ୍ୟାଲଟ ବାକ୍ସ ଆଣିବା ଡ୍ୟୁଟି ପ୍ରଭୃତି ଦାଇତ୍ୱ ପ୍ରଦାନ କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ସମ୍ପୃକ୍ତ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କୁ ଭୋଟ ଗଣତି କକ୍ଷରେ ରହିବା ପାଇଁ ଅନୁମତି ଦିଆଯିବ । ଭୋଟ ଗଣତି ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ବ୍ଲକ୍ ପରିସରରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଚଳିତ ତ୍ରୀ-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ପ୍ରଥମ କରି ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବରେ ନର୍ଲା ବ୍ଲକ୍ ପରିସରରେ ଟେଣ୍ଟ ଲଗେଇ ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୨୬ ଗୋଟି ଷ୍ଟଲ, ଏହାବାଦ୍ ସୂଚନା, ପୋଲିସ୍, ରିଜର୍ଭ ଏଭଳି ୩୦ ଗୋଟି ଷ୍ଟଲ କରାଯାଇ ଶୃଙ୍ଖଳିତ ଭାବରେ ନିର୍ବାଚନ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନିର୍ବାଚନ ଦିନ ଅପରାହ୍ନ ୨ ଘଣ୍ଟା ଭୋଟ ବାକ୍ସ ଆସିବା ସମୟରେ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ନର୍ଲା ପରିଦର୍ଶନରେ ଆସି ଶୃଙ୍ଖଳିତ ପରିଚାଳନାକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.