ତିନି ମାର୍ଗରୁ ଋଷର କ୍ଷେପଣାସ୍ତ୍ର ମାଡ, ୟୁକ୍ରେନର କେତେକ ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ

ଓଡ଼ିଆ ବାର୍ତ୍ତା/ ମସ୍କୋ| କ୍ୱିଭ: ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ବିଶ୍ୱ ପାଇଁ ଅଶାନ୍ତିର କାରଣ ସାଜିଛି । ଋଷର ଦକ୍ଷିଣରେ ଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସଦସ୍ୟତା ପାଇଁ ଆବେଦନ କରିବା ପରେ ପୁଟିନ କ୍ଷୁବ୍ଧ ହୋଇଯାଇଥିଲେ । ନାଟୋ ସୈନ୍ୟଙ୍କୁ ତୁରନ୍ତ ସମ୍ପୃକ୍ତ ଅଞ୍ଚଳରୁ ପ୍ରତ୍ୟାହାର ଦାବି କରି ପୂର୍ବାଞ୍ଚଳର ଡୋନବାସକୁ ପୁଟିନ ଡୋନେସ୍କ ଓ ଲୁହାନସ୍କ ନାମରେ ଦୁଇଟି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଥିଲା । ଯୁଦ୍ଧ ଏଡ଼ାଇବା ପାଇଁ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ପୁଟିନଙ୍କୁ ଲଗାତର ତାଗିଦ କରିଥିଲେ । ହେଲେ ସେ କାହା କଥା ଶୁଣି ନଥିଲେ। ଗୁରୁବାର ସକାଳେ ପୁଟିନ ଏକ ପ୍ରିରେକର୍ଡେଡ ଟେଲିଭିଜନ ବାର୍ତ୍ତାରେ ଋଷିଆବାସୀଙ୍କୁ ସମ୍ବୋଧନ କରିଥିଲେ । ଏହି ସମ୍ବୋଧନ ବେଳେ ସେ ସୈନ୍ୟଙ୍କୁ ୟୁକ୍ରେନ ଆକ୍ରମଣ (ସାମରିକ ଅପରେଶନ)ର ନିର୍ଦ୍ଦେଶ ଦେଇଥିଲେ। ପୁଟିନଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଋଷିଆ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ଜଳ, ସ୍ଥଳ ଓ ଆକାଶରୁ ଋଷିଆ ପକ୍ଷରୁ କରାଯାଇଥିବା ଏହି ଘାତକ ଟର୍ଗେଟକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ବିରୋଧରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ପୁଟିନଙ୍କ ସଶସ୍ତ୍ର ବଳ ୟୁକ୍ରେନର ୧୩ଟି ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ୟୁକ୍ରେନର ପୂର୍ବ ସୀମାନ୍ତ ଚେର୍ନିହିଭ, ଖର୍କିଭ ଓ ଲୁହାନସ୍କ ଅଞ୍ଚଳରେ ରୁଷିଆ ସୈନ୍ୟ କଡ଼ା ପ୍ରହରା ଦେଉଥିବାବେଳେ ସ୍କାଷ୍ଟିଆ ଏବଂ ଷ୍ଟାନିସିଆ ସହରକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛନ୍ତି । କେବଳ ଏତିକି ନୁହେଁ, କୃଷ୍ଣ ସାଗର ଉପକୂଳ ବନ୍ଦର ସହର ଓଡେସା ଓ ଦକ୍ଷିଣରେ ଥିବା ମାରିଉପୋଲକୁ ସେମାନେ ଜଳପଥରେ ଆକ୍ରମଣ କରିଛନ୍ତି । ରାଜଧାନୀ କ୍ୱିଭ ଆକାଶରେ ଉଡ଼ୁଥିବା ରୁଷିଆ ବାୟୁସେନାର ଲଢ଼ୁଆ ବିମାନ ସରକାରୀ ଅଫିସ ଓ ସେନା ଛାଉଣିଗୁଡ଼ିକୁ ଟାର୍ଗେଟ କରିଥିଲେ। ଓଡେସା ସେନା ଶିବିରରେ ଏୟାର ଷ୍ଟ୍ରାଇକ କରିବାରୁ ୧୦ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ମୋଟ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସି ନ ଥିଲେ ହେଁ ଏୟାକୁ ମିଶାଇ ୟୁକ୍ରେନର ପ୍ରାୟ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଆକାଶରୁ କ୍ୱିଭ ଆକ୍ରମଣ ପାଇଁ ଯାଇଥିବା ଋଷିଆର ୫ଟି ବିମାନକୁ ୟୁକ୍ରେନ ଖସାଇଦେଇଥିବା ଦାବି କରିଛି । ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ରୁଷିଆର ୫୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପ୍ରଶାସନିକ ସହଯୋଗୀ ଓଲେକସି ଆରେଷ୍ଟୋଭିକ କହିଛନ୍ତି । ଏହା ପୂର୍ବରୁ ଭୋର ୪ଟାରେ କ୍ୱିଭରେ ବିସ୍ଫୋରଣ ହୋଇଥିଲା । ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜଧାନୀର ବହୁ ଲୋକ ଏହାର ପ୍ରଚଣ୍ଡ ଶବ୍ଦ ଶୁଣି ଉଠିଯାଇଥିଲେ । ୟୁକ୍ରେନ ସେନା ଗୋଇନ୍ଦା ମୁଖ୍ୟାଳୟରୁ ବାହାରୁଥିବା ଘନକଳା ଧୂଆଁ ସମଗ୍ର ସହରର ଆକାଶକୁ ଆଚ୍ଛାଦିତ କରି ରଖିଥିଲେ । ଗୁଳି ବିନିମୟ ଓ ଟ୍ରାଫିକ ଜାମ ଭିତରେ ରାଜଧାନୀବାସୀ ଆତଙ୍କିତ ହୋଇଯାଇଛନ୍ତି । ରୁଷୀୟ ସୈନ୍ୟ ପଡ଼ୋଶୀ ୟୁକ୍ରେନରେ ଆକାଶମାର୍ଗରୁ ତୁହାକୁ ତୁହା ବୋମା ବର୍ଷଣ କରିଛନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନ ରାଜଧାନୀ କ୍ୱିଭ ନିକଟସ୍ଥ ଆଇଭାନୋ-ଫ୍ରାଙ୍କିସ୍କ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଅନ୍ୟ କେତେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବାବେଳେ କ୍ୱିଭ ମଧ୍ୟ ଆତ୍ମରକ୍ଷା ପାଇଁ ଜବାବ ଦେଇଛି । ଏଥିରେ ଉଭୟ ପକ୍ଷଙ୍କ ଶତାଧିକ ସୈନ୍ୟ ମୃତାହତ ହୋଇଥିବା କୁହାଯାଉଛି । ରୁଷିଆର ଆକ୍ରମଣକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କଡ଼ା ନିନ୍ଦା କରିବା ସହ ଆଗକୁ ଆହୁରି କଠୋର କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି । ଏଭଳି ସମୟରେ ଭାରତର ନିରପେକ୍ଷତାକୁ ନେଇ ୟୁକ୍ରେନ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି । ମୋଦୀ ପୁଟିନଙ୍କ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରାଇବା ଜରୁରୀ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.