ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ କୋଣାର୍କ ଓ ଭୁବନେଶ୍ୱରରେ ହେବ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

ଯୋଗଦେବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ଜଗତର ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜନ ହେବ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ, ୨୦୨୨ରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଆଜି (ଫେବୃଆରୀ ୨୫) କୋଣାର୍କ ଠାରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଯୋଗଦେବେ । ଏଥିରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ଏଥିରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟ ବିଶେଷ କରି ରାଜ୍ୟ ମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେବ । ଏହାପରେ ୨୬ ଫେବୃଆରୀ ଶନିବାର ଦିନ ଭୁବନେଶ୍ୱର ଠାରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ । ଏହି ଅବସରରେ ‘ଦ୍ବିତୀୟକ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ଆବଶ୍ୟକ ନୀତିଗତ ହସ୍ତକ୍ଷେପ’ ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହେବ । ବିଶେଷ କରି ଇସ୍ପାତ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.