ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ୨୭ ଫେବୃୟାରୀ ଧାର୍ଯ୍ୟ ଦିନ ଅନୁଯାୟୀ ନର୍ଲା ବ୍ଲକ୍ ଅଧିନସ୍ଥ ନଂ-୨ ଜିଲ୍ଲା ପରିଷଦ (ସରିଆଁ) ଜୋନ ରେ ରହିଥିବା ୧୦ ଗୋଟି ଗ୍ରାମ ପଞ୍ଚାୟତ ଉଳିକୁପା, କର୍ମେ ଗାଁ, ଗାଡେବନ୍ଧ, ଘଣ୍ଟାମାଲ, ନିଶାଣପୁର, ବଡ଼ଧାରପୁର, ରାକସୀ, ରୂପ୍ରାରୋଡ଼, ଶାନ୍ତପୁର, ସରିଆଁର ୧୧୫ ଗୋଟି ବୁଥର ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଧାର୍ଯ୍ୟ ସମୟ ଅନୁଯାୟୀ ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏଥିପାଇଁ ନର୍ଲା ବ୍ଲକ୍ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ୧୦ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୧୦ ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନର୍ଲା ବ୍ଲକ୍, ନର୍ଲା ତହସିଲ କର୍ମଚାରୀ ଓ ଅନେକ ଅନୁଭବି ଶିକ୍ଷକଙ୍କୁ ଭୋଟ ଗଣତିରେ ୧୪୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟ ଗଣତି ସମୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟାଲଟ ବାକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ଖୋଲି ଗ୍ରାମ ପଞ୍ଚାୟତ ଅନୁଯାୟୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନଂ- ୧ ବୁଥରୁ ଆରମ୍ଭ କରି ଶେଷ ବୁଥ୍ ଯାଏଁ ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଟେବୁଲରେ ବ୍ୟାଲଟ ବାକ୍ସ ରଖାଯିବା ସହ ଭୋଟ ଗଣନା କାରୀ ପ୍ରତି ଟେବୁଲ ର ପାଞ୍ଚଜଣ କର୍ମଚାରୀ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ବ୍ୟାଲଟ ବାକ୍ସର ଜଉମୁଦ ଖୋଲି ସଂମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ଚାରିଗୋଟି ରଙ୍ଗର ଭୋଟ ବ୍ୟାଲଟ ଗୁଡିକ ଅଲଗା କରି ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଏବଂ ଭୋଟ ଗଣତି ପ୍ରକ୍ରୀୟାର ପ୍ରତି ରାଉଣ୍ଡରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଫଳାଫଳ ଘୋଷଣା ଆରମ୍ଭ ହୋଇଯାଇଛି । ଜନସାଧାରଣଙ୍କ ବସିବା ପାଇଁ ତଥା ଫଳାଫଳ ଜାଣିବା ପାଇଁ ଦୁଇଗୋଟି ଏଲଇଡି ର ବ୍ୟବସ୍ଥା ମଧ୍ୟ ପ୍ରଶାସନ ତରଫରୁ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.