ନର୍ଲା: ବିଜେଡି ଦଖଲ କଲା ୩ଟି ଯାକ ଜିଲ୍ଲା ପରିଷଦ ଜୋନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ନର୍ଲା ବ୍ଲକର ତିନିଗୋଟି ଆସନକୁ ଦଖଲ କରିଛି ବିଜେଡି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏସବୁ ବିଜେପି ସପକ୍ଷରେ ଯାଇଥିଲା । ଏଥର କିନ୍ତୁ ମାଟି କାମୁଡ଼ିଲା ବିଜେପି । ରଣନିତି ଫେଲ୍ ମାରିବା ଯୋଗୁଁ ବିଜେପି ଶୋଚନୀୟ ପରାଜୟ ବରଣ କରିଛି । ତେବେ ନର୍ଲାରେ ବିଜେପି ଠାରୁ କଂଗ୍ରେସର ସ୍ଥିତି ଅନେକ ଗୁଣରେ ଭଲ ରହିଛି । ତିନୋଟି ଯାକ ଜୋନ ମଧ୍ୟରୁ ୨ ଓ ୩ନଂରେ ବିଜେଡି ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କୁ ଟକ୍କର ଦେଇଥିବା କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି । କେବଳ ଜୋନ୍-୧ ରେ ଦ୍ବିତୀୟ ସ୍ଥାନରେ ରହିଛି ବିଜେପି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନର୍ଲା-୧ ଜୋନ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଏଥିରେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ, ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ, କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ଓ ଆପ୍ ପ୍ରାର୍ଥୀନୀ ଯାଜ୍ଞସେନୀ ସାହୁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ ମୋଟ ୧୦୪୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ ୭୫୫୧ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଭାବେ କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ୩୪୪୪ ଖଣ୍ଡ ଓ ଆପ୍ ପ୍ରାର୍ଥୀନୀ ଯାଜ୍ଞସେନୀ ସାହୁ ୭୧୫ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜୋନ୍-୧ ରେ ବିଜେଡିର ନମ୍ରତା ସାହୁ ବିଜୟୀ ଘୋଷିତ ହୋଇଛନ୍ତି । ନର୍ଲା ଜୋନ୍-୨ରୁ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ, ବିଜେପିରୁ ରିନା ଭୋଇ ଓ କଂଗ୍ରେସରୁ ରୋଶନ ମାଝୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ବିଜେଡିର ହରିଶଙ୍କର ମାଝୀ ୧୨୩୪୨ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ୭୨୪୦ ଭୋଟ ପାଇ କଂଗ୍ରେସର ରୋଶନ ମାଝୀ ଦ୍ବିତୀୟ ଏବଂ ବିଜେପିର ରିନା ଭୋଇ ମାତ୍ର ୬୫୦୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ନର୍ଲା ଜୋନ୍-୩ରେ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ, ବିଜେପି ପକ୍ଷରୁ ପ୍ରଣତି ମହାନନ୍ଦ ଓ କଂଗ୍ରେସ ପ୍ରାର୍ଥୀନୀ ସୁନୀତା ନାଏକ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ଏହି ଆସନରୁ ବିଜୟୀ ହୋଇଛନ୍ତି । ଶ୍ରୀମତୀ ଦୀପ ୧୦୦୩୭ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ କଂଗ୍ରେସର ସୁନୀତା ନାଏକ ୭୯୬୨ ଓ ବିଜେପିର ପ୍ରଣତି ମହାନନ୍ଦ ୭୧୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ନର୍ଲାରେ ବିଜେପି ଗଡ ଭୁଷୁଡି ପଡିଥିବା ବେଳେ ବିଜେଡି ଗଡ ଦଖଳ କରି ବିଜୟ ଉତ୍ସବ ପାଳନ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.