କଳାହାଣ୍ଡି ଶିକ୍ଷା ବିଭାଗର ଅଭିନବ ପ୍ରୟାସ: “ପଢିବାକୁ ଶିଖିବା, ଶିଖିବାକୁ ପଢ଼ିବା” କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କୋଭିଡ଼ ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାର୍ଥୀ ମାନଙ୍କର ହ୍ରାସ ପାଇଥିବା ଶିକ୍ଷଣ ସ୍ତରକୁ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ଅଧ୍ୟୟନ କରୁଥିବା ବିଶେଷ କରି ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ଅତିକମରେ ପଢିବା, ଲେଖିବା, ବୁଝିବା ଓ କହିବାର ସାମର୍ଥ୍ୟ ସହ ଶ୍ରେଣୀ ଅନୁଯାୟୀ ସଂଖ୍ୟାଜ୍ଞାନ ସୁନିଶ୍ଚିତ କରିବାକୁ ଏହା କାର୍ଯ୍ୟକାରୀ କରାଯାଇଛି । ଏହା କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ନୂତନ ଜ୍ଞାନ ଓ କୌଶଳର ଏକ ବିରାଟ ଦୁନିଆକୁ ପ୍ରବେଶ କରେଇବା ବ୍ୟତିରେକ ସ୍ୱଶିକ୍ଷଣ ପାଇଁ ସାମର୍ଥ୍ୟ, ଭାଷାଦକ୍ଷତାରେ ନିପୁଣତା ଓ ଉପର ଶ୍ରେଣୀରେ ଭଲ ପ୍ରଦର୍ଶନ ପାଇଁ ସହାୟକ ହେବ ବୋଲି ଉଦଘାଟକ ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ତଥା ଡିପିଏମୟୁ ଏଫଏଲଏନ ଅଧ୍ୟକ୍ଷ ଡ. ଗାଭାଲି ପରାଗ ହର୍ଷଦ ମତବ୍ୟକ୍ତ କରିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଗୁଗୁଲମିଟରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଟେମଲାଲ ଦୁବେ କାର୍ଯ୍ୟକ୍ରମର ରୂପରେଖ, ଉଦ୍ଦେଶ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିରେ ଡିପିଏମୟୁ ର ସମସ୍ତ ସଭ୍ୟସଭ୍ୟାଙ୍କ ସମେତ ଜିଲ୍ଲାର ସମସ୍ତ ବିଇଓ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.