ପ୍ରଶାନ୍ତ ପାଇବେ ପେନ ଇନ ବୁକ୍ସ ‘ଯୁବ ଲେଖକ ପୁରସ୍କାର’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମର ଚିତ୍ରସେନ ଦାଶଙ୍କ ପୁଅ ତଥା ଖ୍ୟାତନାମା ଯୁବ କବି ପ୍ରଶାନ୍ତ କୁମାର ଦାଶଙ୍କ ନାମ ୨୦୨୧ ମସିହା ପାଇଁ ସମ୍ମାନଜନକ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ତାଲିକାରେ ସ୍ଥାନ ପାଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ତରଫରୁ ପ୍ରତିବର୍ଷ ପରି ଚଳିତ ଥର ପାଇଁ ମଧ୍ୟ ଯୁବ ଲେଖକ ପୁରସ୍କାର ତାଲିକା ଘୋଷିତ ହୋଇଛି । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକଙ୍କୁ ନିଜର ମୌଳିକ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଯୁବକବି ପ୍ରଶାନ୍ତ କୁମାର ଦାଶ ତାଙ୍କର ପାଣ୍ଡୁଲିପି ‘ମା ମୋତେ କ୍ଷମା କରିଦେବୁ’ ପାଇଁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର-୨୦୨୧ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏପରି ଏକ ସାହିତ୍ୟ ଅନୁଷ୍ଠାନରୁ ତାଙ୍କ ଲେଖା ପାଇଁ ଏତେ ବଡ ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶାନ୍ତଙ୍କୁ ଶୁଭେଚ୍ଛା ଲହରୀ ଛୁଟୁଛି । କର୍ଲାମୁଣ୍ଡା ପ୍ରେସ କ୍ଲବ, ନିର୍ଝରିଣୀ ସାହିତ୍ୟ ସଂସଦ, ରିଷିଡା, ସାହିତ୍ୟ ଓ ସଂସ୍କୃତି ପରିଷଦ, କର୍ଲାମୁଣ୍ଡା ପକ୍ଷରୁ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.