ଶ୍ରୀରାମକୃଷ୍ଣ ଦେବଙ୍କ ୧୮୭ତମ ଜନ୍ମ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ଶ୍ରୀରାମକୃଷ୍ଣଦେବଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି । ଏଥିନିମନ୍ତେ ପ୍ରାତଃକାଳରୁ ପୂଜାର୍ଚ୍ଚନା, ହୋମାଦି ସମାପନ ପରେ ଦିବା ଏଗାର ଘଟିକା ସମୟରେ ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକାନନ୍ଦ ମହାରାଜଙ୍କ ସଭାପତିତ୍ୱ୍‌ରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହେଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ, ମୁଖ୍ୟବକ୍ତା ବଟକିଶୋର ପ୍ରଧାନ,ସମ୍ମାନୀତ ଅତିଥି ସ୍ୱାମୀ ଶୁକଦେବାନନ୍ଦ (ପରିଚାଳକ, ବିବେକାନନ୍ଦ ପବ୍ଲିକ୍ ସ୍କୁଲ) ଯୋଗଦେଇ ସର୍ବଧର୍ମ ସମନ୍ୱୟର ବାଣୀ ସମାଜରେ କିଭଳି ସବୁସ୍ତରରେ ପହଞ୍ଚିପାରିବ, ଭଗବାନଙ୍କ ତ୍ୟାଗ ଓ ବୈରାଗ୍ୟ, ଯାହା ମଣିଷକୁ ସତମାର୍ଗରେ ପରିଚାଳିତ କରିବା ସହିତ ଏକ ଆଧ୍ୟାତ୍ମ ସମାଜଗଠନରେ ସହାୟକ ହେଇପାରିବ ସେଦିଗରେ ନିଜର ବକ୍ତବ୍ୟ ରଖିଥିଲେ । ସୁରେନ୍ଦ୍ର ମହାଖୁଡ଼, ଅଧ୍ୟକ୍ଷ,ବିବେକାନନ୍ଦ ପବ୍ଲିକ୍ ସ୍କୁଲ ଏକ କବିତା ଉପସ୍ଥାପନ କରିଥିବାବେଳେ ଅଷ୍ଟମଶ୍ରେଣୀ ଛାତ୍ରୀ ସୁପ୍ରଜିତା ସାହୁ ଶ୍ରୀରାମକୃଷ୍ଣ ଦେବଙ୍କ ଆଦର୍ଶ ଓ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଅତିଥିମାନଙ୍କ ଦ୍ୱାରା ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲିଖିତ ପ୍ରାଚୀର ପତ୍ରିକା ଶିଖା ଉନ୍ମୋଚିତ ହେଇଥିଲା । ଅନ୍ନଦା ପ୍ରସାଦ ପଟ୍ଟନାୟକ ଧନ୍ୟବାଦାର୍ପଣ କରିଥିବାବେଳେ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.