ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବେଚ୍ଛାସେବୀ ସଂସ୍ଥା ‘ଇଣ୍ଡିଆ ଫାଉଣ୍ଡେସନ ଫର୍ ହ୍ୟୁମାନିଷ୍ଟିକ ଡେଭଲପମେଣ୍ଟ’ (ଆଇଏଫଏଚଡି) ପକ୍ଷରୁ ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଇଏଫଏଚଡି ଆଞ୍ଚଳିକ ସଂଯୋଜକ କଳାହାଣ୍ଡି ଗନ୍ଧର୍ବ ଗଉଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡ଼ି କର୍ମୀ ଅମ୍ବୁଦିନୀ ସାହୁ ଯୋଗଦେଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ସଂଯୋଜକ ରାୟଗଡା ବିଚିତ୍ର କୁମାର ରାଉତ, ଆଞ୍ଚଳିକ ସଂଯୋଜକ ଗଜପତି ସୁଦର୍ଶନ ବରାଡ, ଆଞ୍ଚଳିକ ସଂଯୋଜକ ଗଞ୍ଜାମ ପ୍ରିତମ କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ରହି ଆନ୍ତର୍ଜାତିକ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏଥିରେ ଅଞ୍ଚଳର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୧୫୦ ସଦସ୍ୟା ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଏକ ଶୋଭାଯାତ୍ରା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲା । ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ବକୃତା, ନୃତ୍ୟ, ସଂଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଚିତ୍ର କୁମାର ରାଉତ ସ୍ବାଗତ ଅଭିଭାଷଣ ରଖିଥିଲେ । ସୁଦର୍ଶନ ବରାଡ ମଞ୍ଚ ପରିଚାଳନା କରିଥିବାବେଳେ ସ୍ବେଚ୍ଛାସେବୀ ନରୋତ୍ତମ କରୁଆଁ ଓ ଅଶୋକ ସହଯୋଗ କରିଥିଲେ । ଶେଷରେ ପ୍ରିତମ କୁମାର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।