ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁର ୧୮ ଦିନ ବିତିଲା, ଅସହାୟ ଅବସ୍ଥାରେ କାକଭଟାରେ ମୃତକଙ୍କ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: (ନିଲେଶ କୁମାର ନାଗ): ଦାଦନ ଖଟିବାକୁ ପରିବାର ସହିତ ତାମିଲନାଡୁ ଯାଇଥିଲେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ କାକଭଟା ଗାଁର ଅନାବ ତାଣ୍ଡି । ସେଠାରେ ତ୍ରିପୁର ଜିଲ୍ଲାର ଚିନ୍ତାମଣି ନାମକ ଏକ ସ୍ଥାନରେ ଶିବରାଜ ମିସ୍ତ୍ରୀ ନାମକ ଜଣେ ଠିକାଦାରଙ୍କ ପାଖରେ କୋଠା ତିଆରି କାମରେ ନିୟୋଜିତ ଥିଲେ । ସେଠାରେ କଂକ୍ରିଟ୍ କାମ କରୁଥିବାବେଳେ ଫେବୃୟାରୀ ମାସ ୧୯ ତାରିଖ ସକାଳେ ପରିବାର ସହିତ ସେ ରହୁଥିବା ଝୁମ୍ପୁଡିରୁ ବାହାରି ସେ ଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରିନଥିଲେ । ସନ୍ଧ୍ୟା ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ଠିକାଦାର ଶିବରାଜ ମିସ୍ତ୍ରୀ, ଅନାବ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ଖବର ଦେଇଥିଲା । ଏ ସଂପର୍କରେ ଖବର ପାଇ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଚ୍ଚସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନାବଙ୍କ ଶରୀର ଜଳିଯାଇଥିବାବେଳେ ମୁଣ୍ଡଠାରୁ ଗଣ୍ଡି ଓ ଗୋଟିଏ ଗୋଡ ଶରୀରରୁ ବିଚ୍ଛିନ୍ନ ହୋଇଯାଇଥିଲା । ଘଟଣାସ୍ଥଳରେ ଅବିନାଶ ଥାନା ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିବା ପରେ ଅସହାୟ ପରିବାର ସେଠାରେ ହିଁ ଦାହସଂସ୍କାର କରି ଦେଇଥିଲେ । ଏହି ସମୟରେ ଶବ ସତ୍କାର ପାଇଁ ଠିକାଦାର ମାତ୍ର ୩୦ ହଜାର ଟଙ୍କା ଦେଇ ଜୋରଜବରଦସ୍ତ ଘରକୁ ପଠାଇ ଦେଇଥିବା ମୃତ ଅନାବଙ୍କ ବିଧବା ପତ୍ନୀ ବାସନ୍ତୀ ତାଣ୍ଡି ଅଭିଯୋଗ କରିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏପରିକି ଏହି ଦୁଃଖଦ ଘଟଣା ଘଟିବାର ୧୮ ଦିନ ବିତିଯାଇଥିଲେ ବି ସେମାନେ କୌଣସି ସୂଚନା କିମ୍ବା ମୁହଁ ଖୋଲିବାକୁ ସାହସ ଜୁଟାଇପାରିନାହାନ୍ତି । ଆଜି ଏ ସଂପର୍କରେ ଜାଣିବା ପରେ ଆମ ପ୍ରତିନିଧି ନିଲେଶ କୁମାର ନାଗ ମୃତ ଅନାବଙ୍କ ବିଧବା ପତ୍ନୀଙ୍କ ସହିତ ଯୋଗାଯୋଗ କରିବାରୁ ସେ ନିଜ ଦୁଃଖ ବଖାଣିଛନ୍ତି । ନିଜର ବୋଲି ଜମିବାଡି କିମ୍ବା ଘରଦ୍ୱାର ଖଣ୍ଡେ ନଥିବାରୁ ଦାଦନ ଖଟିବାକୁ ତାମିଲନାଡୁ ଗଲୁ ଆଉ ଘରର ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କୁ ହରାଇଲି ବୋଲି ସେ କାନ୍ଦିକାନ୍ଦି ପ୍ରକାଶ କରିଛନ୍ତି । ଏହାସହିତ ଅକାଳରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିବା ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.