ସୁମିତ୍ରା ଓଝା ହେଲେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡିକରେ ଆଜି (୧୧ ମାର୍ଚ୍ଚ) ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ମଧ୍ୟ ଅନୁଷ୍ଠିତ ହୋଇଛି ନାଏବ ସରପଞ୍ଚ ନିର୍ବାଚନ । ସୁମିତ୍ରା ଓଝା ସର୍ଗିଗୁଡା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଭାବରେ ନିର୍ବାଚିତ ଘୋଷିତ ହୋଇଛନ୍ତି । ସର୍ଗିଗୁଡା ଗ୍ରାମ ପଞ୍ଚାୟତର ୧୩ ଗୋଟି ୱାର୍ଡ ମଧ୍ୟରୁ ବେହେରାପାଟି ଗ୍ରାମର ୫ ନମ୍ବର ୱାର୍ଡ ପାଇଁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ରହିଥିବା ବେଳେ ସେଠାରେ ଉକ୍ତ ସମ୍ପ୍ରଦାୟର କେହି ନଥିବାରୁ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ପାରିନାହିଁ । ଏଣୁ ସର୍ଗିଗୁଡାର ୧୨ ଗୋଟି ୱାର୍ଡର ୱାର୍ଡ ସଭ୍ୟ/ସଭ୍ୟାଙ୍କୁ ନେଇ ନାଏବ ସରପଞ୍ଚ ନିର୍ଭାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବରେ ସୂର୍ଯ୍ୟଦେବ ବାଗ ନିର୍ବାଚନ ପରିଚାଳନା କରିଥିଲେ । ସକାଳ ୧୦ ଘଣ୍ଟା ସମୟରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରୀୟା ଅନୁଷ୍ଠିତ ହୋଇଥିଲା । ନର୍ଲାରୋଡ (ତୁଳାଗାଁ) ୧୧ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ଶ୍ରୀମତୀ ସୁମିତ୍ରା ଓଝା ଓ ବାଙ୍କେଲ ଗ୍ରାମର ୧୩ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ଅକୃର ପୁଟେଲ ଏଭଳି ଦୁଇ ଜଣ ପ୍ରତିଦ୍ୱନ୍ଦୀ ନାଏବ ସରପଞ୍ଚ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସୁମିତ୍ରା ଓଝାଙ୍କ ସପକ୍ଷରେ ୭ ଖଣ୍ଡ ଭୋଟ ପଡିଥିବା ବେଳେ ଅକୃର ପୁଟେଲଙ୍କ ସପକ୍ଷରେ ମାତ୍ର ୬ ଖଣ୍ଡ ଭୋଟ ପଡିଥିଲା । ସୁମିତ୍ରା ଓଝା ସର୍ଗିଗୁଡା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଭାବରେ ନିର୍ବାଚିତ ଘୋଷିତ ହୋଇଥିଲେ । ନାଏବ ସରପଞ୍ଚ ନିର୍ବାଚନ ବେଳେ ସର୍ଗିଗୁଡାର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ ଉପସ୍ଥିତ ରହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ସର୍ଗିଗୁଡା ନାଏବ ସରପଞ୍ଚ ନିର୍ବାଚନ ସମାପନ ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.