କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଭାବେ ଚନ୍ଦନ ସେନାପତି ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଆଜି ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି । ତେବେ ଏଥିରେ କଶୃପଡା ପଞ୍ଚାୟତ ସମିତି ସଭ୍ୟ ଚନ୍ଦନ ସେନାପତି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକ ଠାରୁ ୪ ଖଣ୍ଡ ଭୋଟ ଅଧିକ ପାଇ ଶ୍ରୀ ସେନାପତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କେସିଙ୍ଗା ବ୍ଲକ ର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ଚନ୍ଦନ ସେନାପତିଙ୍କ ସପକ୍ଷରେ ୧୫ ଜଣ ସମିତି ସଭ୍ୟ ରହିଥିବା ବେଳେ ରାଜଲକ୍ଷ୍ମୀ ପଟ୍ଟନାୟକ ପକ୍ଷରେ ୧୧ ଜଣ ସମିତି ସଭ୍ୟ ରହିଥିଲେ । ନିର୍ବାଚନ ଅଧିକାରୀ ଭାବରେ କର୍ଲାମୁଣ୍ଡା ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ଯୋଗଦାନ କରିଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଭିନାଭ ସୋନକର ଓ ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ଉପସ୍ଥିତିରେ ୧ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ରହିଥିଲେ । ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଥିବାରୁ ଏହି ପଦ ହାତେଇବା ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ । ଅଧ୍ୟକ୍ଷ ପଦବୀକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ କଳ୍ପନାଜଳ୍ପନାର ଅବସାନ ଘଟାଇ କଶୃପଡା ସମିତି ସଭ୍ୟ ଚନ୍ଦନ ସେନାପତିଙ୍କ ମଥାରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଭାବେ ବିଜୟ ମୁକୁଟ ଲାଗିଛି । ଚନ୍ଦନ ସେନାପତି ବିଜେଡି ଦଳର ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବିଜେପି ସମର୍ଥନ ଦେବା ଫଳରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଚନ୍ଦନ ସେନାପତି ସଫଳ ହୋଇଛନ୍ତି । ଅପରପକ୍ଷରେ ସ୍ବାଧିନ ପ୍ରାର୍ଥୀ ଭାବେ କୁଣ୍ଡାବନ୍ଧ ପଞ୍ଚାୟତ ସମିତି ସଭ୍ୟ ମନୋଜ ପଟ୍ଟନାୟକ ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ଓ ତାଙ୍କ ସପକ୍ଷରେ ୧୨ ଜଣ ସମିତି ସଭ୍ୟ ରହିଥିଲେ । ଶେଷ ମୁହୁର୍ତ୍ତରେ ମନୋଜ ପଟ୍ଟନାୟକ ତାଙ୍କ ସ୍ତ୍ରୀ ତଥା ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ମନୋଜ ପଟ୍ଟନାୟକ ସପକ୍ଷରେ ରହିଥିବା ୧୨ ଜଣ ସମିତି ସଭ୍ୟ ଆଜିର ନିର୍ବାଚନ ସମୟରେ ୧୧ ଜଣ ସମିତି ସଭ୍ୟ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ସମର୍ଥନ ରେ ଭୋଟ ଦେଇଥିଲେ । ତେବେ ବିଜେପି ସମର୍ଥନରେ ବିଜେଡିର ପ୍ରାର୍ଥୀ ଚନ୍ଦନ ସେନାପତି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ଘଟଣା କେସିଙ୍ଗା ଅଞ୍ଚଳରେ ରାଜନୈତିକ ସମୀକରଣର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଆଲୋଚନା ହୋଇଛି । ପ୍ରକାଶ ଯେ, ଚନ୍ଦନ ସେନାପତି କେସିଙ୍ଗା ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ରାସନ୍ କାର୍ଡ ପ୍ରଭୃତି ଯୋଗାଇବାର ପ୍ରଥମ ଲକ୍ଷ୍ୟ ରହିଛି ଏବଂ କଳାହାଣ୍ଡି ଜିଲ୍ଲା ରେ କେସିଙ୍ଗା ବ୍ଲକକୁ ୧ ନମ୍ବର ବ୍ଲକ ଭାବରେ ପରିଗଣିତ କରିବା ଲକ୍ଷ୍ୟ ରହିଛି ବୋଲିି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.