ୟୁକ୍ରେନର ୫ ସହରରେ ରୁଷର ପ୍ରଚଣ୍ଡ ଆକ୍ରମଣ, ବଲ୍‌ନୋବଖା ସମ୍ପୂର୍ଣ୍ଣ ଧ୍ବଂସ

ଓଡ଼ିଆ ବାର୍ତ୍ତା/ କିବ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତାର ଅବ୍ୟବହିତ ପୂର୍ବରୁ ସୋମବାର ସକାଳେ କିବ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏକ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଅନେକ ଲୋକ ମୃତାହତ ହୋଇଛନ୍ତି । କିବ୍‌ ରେଳ ଷ୍ଟେସନ୍‌ ନିକଟରେ ମଧ୍ୟ ବୋମାବର୍ଷା ହୋଇଛି । କିବ୍‌ରେ ଆଣ୍ଟୋନବ ବିମାନ କାରଖାନା ଉପରେ ରୁଷ୍‌ର ଆକ୍ରମଣ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ରିଭ୍‌ନେ ସହରରେ ଏକ ଟିଭି ଟାୱାର ଉପରେ ରୁଷ୍‌ ସେନା ଆକ୍ରମଣ କରିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ରୁଷ୍‌ ସେନା ରାଜଧାନୀ କିବକୁ ଚାରିଆଡ଼ୁ ଘେରୁଥିବାର ଖବର ମିଳିଛି । ଖାରକିଭରେ ମଧ୍ୟ ଭୟଙ୍କର ‌ଗୋଳାବର୍ଷା ହୋଇଛି । ୟୁକ୍ରେନ୍‌ର ୧୯ଟି ଅଞ୍ଚରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି । ଅନ୍ୟତମ ସହର ମାଇକୋଲେଭ୍‌ରେ ମଧ୍ୟ ରୁଷ୍‌ର ବୋମାବର୍ଷା‌ ଜାରି ରହିଛି । ବୋମାମାଡ଼ ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେଠାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି । ସହରରେ ମହଜୁଦ୍ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଛି । ଦୀର୍ଘ ୧୨ ଦିନ ହେବ ‌ଲୋକେ ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ବିଦ୍ୟୁତ୍‌ ନାହିଁ କି ପାଣି ନାହିଁ । ମୋବାଇଲ୍‌ ଯୋଗାଯୋଗ ବି ନାହିଁ । ମାରିୟୁପୋଲ୍‌ରୁ ଖାଦ୍ୟ, ପାଣି ଶେଷ ହୋଇଯାଇଥିବା ବେଳେ ରୁଷ୍‌ ମାନବୀୟ ସହାୟତା ଗାଡ଼ିକୁ ଅଟକାଇଛି । ୟୁକ୍ରେନ୍‌ ଯୁଦ୍ଧର ୧୯ ଦିନରେ ରୁଷ୍‌ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି । ୟୁକ୍ରେନ୍‌ ରାଜଧାନୀ କିବ୍‌, ଦ୍ବିତୀୟ ବୃହତ୍ତମ ସହର ଖାରକିଭ, ବନ୍ଦର ସହର ମାରିୟୁପୋଲ୍‌, ଚେର୍ନିହିବ୍‌ ଓ ମାଇକୋଲେଭ୍‌ ଭଳି ୫ଟି ପ୍ରମୁଖ ସହରରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରୁଥିବାର ଖବର ମିଳିଛି । ଚେର୍ନିହିବ, ମାଇକୋଲେଭ୍‌ରେ ଗୋଳାବର୍ଷା କରୁଛି । ଆକ୍ରମଣରେ ୟୁକ୍ରେନ୍‌ର ବଲନୋବଖା ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.