ଓଡ଼ିଆ ବାର୍ତ୍ତା/ ଚଣ୍ଡିଗଡ: ପଞ୍ଜାବ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି (ମାର୍ଚ୍ଚ ୧୬) ଶପଥ ଗ୍ରହଣ କରିବେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ । ପ୍ରଥମଥର ପାଇଁ ପଞ୍ଜାବରେ ରାଜଭବନ ବାହାରେ ଅର୍ଥାତ୍ ଖଟ୍କଡ଼ାକାଲାନ୍ ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଶପଥଗ୍ରହଣ ପୂର୍ବରୁ ୪୮ ବର୍ଷୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍ ଏକ ଭିଡିଓ ଜାରି କରି ପ୍ରଦେଶର ୩ କୋଟି ଅଧିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବାକୁ ଅନୁରୋଧ କରିଛନ୍ତି । ମୁଁ ଏକୁଟିଆ ନୁହେଁ; ମୋ ସହିତ ସାରା ପ୍ରଦେଶବାସୀ ଶହିଦ୍ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଦେଶର ବିକାଶ କାର୍ଯ୍ୟରେ ସହଯୋଗ କରିବା ବୋଲି କହିଛନ୍ତି ଭଗୱନ୍ତ ମାନ୍ । ଏଥିସହିତ ପୁରୁଷଙ୍କୁ ସାଫ୍ରନ୍ ଗାମୁଛା ଓ ମହିଳାଙ୍କୁ ସାଫ୍ରନ୍ ଦୁପଟ୍ଟା ଯାହା ଶିଖ୍ ସମ୍ପ୍ରଦାୟର ଧାର୍ମିକ ପ୍ରତୀକ ପିନ୍ଧିବାକୁ ସେ ଆହ୍ୱାନ ଜଣାଇଛନ୍ତି ।